ଭୁବନେଶ୍ୱରରେ ଡ୍ରେନରେ ଭାସିଗଲେ ଯୁବକ: ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ର ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର: ରାଜଧାନୀରେ ଶନିବାର ପ୍ରବଳ ଲଗାଣ ବର୍ଷା ଯୋଗୁଁ ଏକ ବଡ଼ ଅଘଟଣ ଘଟିଛି। ବାଣୀବିହାର ନିକଟସ୍ଥ ଏକ ମୁଖ୍ୟ ଡ୍ରେନରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ସ୍ଥାନୀୟ ପଥରବନ୍ଧ ବସ୍ତିର ୩୫ ବର୍ଷୀୟ ଅନିଲ ସିଂହ ବୋଲି ଚିହ୍ନଟ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଅନିଲ ଡ୍ରେନ ନିକଟରୁ ପ୍ଲାଷ୍ଟିକ ବୋତଲ ଗୋଟାଉଥିବା ସମୟରେ ଅସାବଧାନତା ବଶତଃ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଖବର ପାଇ ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା କମାଣ୍ଡ ସେଣ୍ଟର ନିର୍ଦ୍ଦେଶରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ପ୍ରବଳ ବର୍ଷା ଓ କାଦୁଅ ସତ୍ତ୍ୱେ ଯୁବକଙ୍କ ସନ୍ଧାନ ପାଇଁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ସ୍ଥାନୀୟ ପୋଲିସ ମଧ୍ୟ ସେଠାରେ ପହଞ୍ଚି ଆଇନ ଶୃଙ୍ଖଳା ଓ ପରିସ୍ଥିତି ଉପରେ ନଜର ରଖିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଲ ରାଣା ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବିଏମସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି।



