ପାଠ୍ୟପୁସ୍ତକ ତ୍ରୁଟି ବିବାଦରେ ଗଣଶିକ୍ଷା ସଚିବଙ୍କ ବଡ଼ ଘୋଷଣା: ପିଲାଙ୍କୁ ମିଳିବ ସଂଶୋଧିତ ନୂଆ ବହି, ଭାଷାକୋଷ ଆଧାରରେ ଚାଲିଛି ଯାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ଚାଲିଥିବା ବିବାଦ ଭିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଭାଗୀୟ ସଚିବ ଏନ୍. ତିରୁମାଲା ନାଏକ ସୂଚନା ଦେଇଛନ୍ତି ଯେ, ସରକାର ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ସଂଶୋଧିତ ଏବଂ ତ୍ରୁଟିଶୂନ୍ୟ ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ କରି ପିଲାମାନଙ୍କୁ ଯୋଗାଇ ଦେବେ। ଏହି ନୂଆ ପୁସ୍ତକ ପ୍ରସ୍ତୁତି ପାଇଁ ବିଶେଷଜ୍ଞଙ୍କ ସହ ସାଧାରଣ ଲୋକଙ୍କ ମତାମତ ମଧ୍ୟ ନିଆଯିବ ଏବଂ ଏହାକୁ ଗଣଶିକ୍ଷା ବିଭାଗର ୱେବସାଇଟ୍ରେ ପ୍ରକାଶ କରାଯିବ। ଏହି ସଂଶୋଧନ ପ୍ରକ୍ରିୟାରେ ପୁରୁଣା କମିଟି ସହିତ ନୂଆ ଶିକ୍ଷାବିତ, ବିଶେଷଜ୍ଞ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ସାମିଲ କରାଯାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ବର୍ତ୍ତମାନ ପୁସ୍ତକଗୁଡ଼ିକରେ ଥିବା ଭୁଲ୍ର ଗଭୀର ତର୍ଜମା ଚାଲିଥିବା ବେଳେ ନୂଆ ବହି ଆସିବା ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। SCERT ପକ୍ଷରୁ ଓସେପା (OSEPA) ଜରିଆରେ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ (DEO) ଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ କରାଯାଇଛି, ଯାହା ଆଧାରରେ ବର୍ତ୍ତମାନ ଶ୍ରେଣୀଗୃହରେ ପାଠପଢ଼ା ଜାରି ରହିବ। ଗଣଶିକ୍ଷା ସଚିବ ସ୍ପଷ୍ଟ କରିଛନ୍ତି ଯେ, ବାସ୍ତବରେ ଗଣମାଧ୍ୟମ କିମ୍ବା ସାଧାରଣରେ ଯେତିକି ବଡ଼ ତ୍ରୁଟି ନେଇ ଚର୍ଚ୍ଚା ହେଉଛି, ସେଭଳି କିଛି ନାହିଁ; ବରଂ କିଛି ନିର୍ଦ୍ଦିଷ୍ଟ ଶବ୍ଦ ଏବଂ ବନାନକୁ ନେଇ ଦ୍ୱନ୍ଦ୍ୱ ରହିଛି। ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ପ୍ରସିଦ୍ଧ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ସମେତ ଅନ୍ୟାନ୍ୟ ପ୍ରାମାଣିକ ଓଡ଼ିଆ ଅଭିଧାନର ସହାୟତା ନିଆଯାଇ ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ସଂଶୋଧନ କରାଯାଉଛି, ଯେପରି ପିଲାମାନଙ୍କ ପାଖରେ ଯଥାଶୀଘ୍ର ଏକ ନିର୍ଭୁଲ ପୁସ୍ତକ ପହଞ୍ଚିପାରିବ।



