ପାଠ୍ୟପୁସ୍ତକ ତ୍ରୁଟି ଘଟଣା: ୭ ଦିନରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବିଦ୍ୟାଳୟ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବ୍ୟାପକ ତ୍ରୁଟି ବିଚ୍ୟୁତିକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗର ସମୀକ୍ଷା କରିବା ସହ ତୁରନ୍ତ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ୭ ଦିନ ମଧ୍ୟରେ ତଦନ୍ତ ସାରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ଅପରପକ୍ଷରେ ପାଠ୍ୟପୁସ୍ତକ ବିବାଦକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ବିରୋଧୀ ବିଜେଡି ଏବଂ କଂଗ୍ରେସ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତାକାଲି ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବା ନେଇ ସୂଚନା ମିଳିଛି।



