ଟ୍ରେନ ବିଳମ୍ବକୁ ନେଇ ଷ୍ଟେସନରେ ଛାତ୍ରଙ୍କ ତାଣ୍ଡବ: ପରୀକ୍ଷା ଚାପରୁ ପଥରମାଡ଼

ନୂଆଦିଲ୍ଲୀ: ବିହାରର ପାଟଳୀପୁତ୍ର ରେଳ ଷ୍ଟେସନରେ ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ପ୍ରତିବାଦ ରବିବାର ହିଂସାତ୍ମକ ହୋଇଛି। ପ୍ରତିବାଦ ସମୟରେ କିଛି ଛାତ୍ର ଏକ ଟ୍ରେନ୍ ଭଙ୍ଗାରୁଜା ଏବଂ ପଥର ଫିଙ୍ଗା ହୋଇଥିବା ରିପୋର୍ଟ ଆସିଛି। ଚାକିରିର ସ୍ୱପ୍ନ ନେଇ ଆସିଥିବା ଏହି ଭିଡ଼ କିଛି ଘଣ୍ଟା ମଧ୍ୟରେ ଉତ୍ତେଜିତ ଜନସମୂହରେ ପରିଣତ ହୋଇଯାଇଥିଲା। ଟ୍ରେନ ବିଳମ୍ବ, ଅବ୍ୟବସ୍ଥା ଏବଂ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ଚିନ୍ତା ଶେଷରେ ଷ୍ଟେସନକୁ ରଣକ୍ଷେତ୍ରରେ ପରିଣତ କରିଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଟ୍ରେନର ନିରନ୍ତର ବିଳମ୍ବକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। କେତେକ ସ୍ଥାନରେ ଚେନ୍ ଟାଣି ଟ୍ରେନ ଅଟକାଯାଇଥିଲା। ପରିସ୍ଥିତି ଶୀଘ୍ର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ପଥରମାଡ଼ ଆରମ୍ଭ ହୋଇଥିଲା। ଏହାପରେ ଷ୍ଟେସନ ପରିସର ଓ ଆଖପାଖ ଅଞ୍ଚଳରେ ପ୍ରାୟ ଦୁଇରୁ ତିନି ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ୍ ସେଲ୍ ପ୍ରୟୋଗ କରିବା ସହ ଫାଙ୍କା  ଗୁଳି ଚାଳନା କରିବାକୁ ପଡ଼ିଥିଲା। ପଥରମାଡ଼ରେ ପାଟନା ଆଇଜି ଜିତେନ୍ଦ୍ର ରାଣାଙ୍କ ସମେତ ଅନେକ ପୋଲିସ ଅଧିକାରୀ ଆହତ ହୋଇଥିଲେ। ଆଇଜିଙ୍କ କହିବା ଅନୁଯାୟୀ, ପ୍ରଥମ ସିଫ୍ଟର କିଛି ପ୍ରାର୍ଥୀ ସମୟରେ ଷ୍ଟେସନରେ ପହଞ୍ଚିପାରିନଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା, ଯାହା ପରେ ହିଂସାତ୍ମକ ରୂପ ନେଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button