ଗୋ-ମାଫିଆଙ୍କୁ ନାହିଁ ନିସ୍ତାର : ମୟୂରଭଞ୍ଜ ଓ ବାଲେଶ୍ବରରେ ପୋଲିସର ଚଢ଼ାଉ, ବିପୁଳ ସମ୍ପତ୍ତି ଜବତ

ଭୁବନେଶ୍ବର: ଅବୈଧ ଗୋ-ଚାଲାଣରେ ଲିପ୍ତ ଥିବା ଗୋ-ମାଫିଆଙ୍କ ବିରୋଧରେ କଡ଼ା ଆକ୍ସନ ପ୍ରଦର୍ଶନ କରିଛି ପୋଲିସ। ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ପୂର୍ବାଞ୍ଚଳ ଡିଆଇଜି ଏବଂ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲିଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଚାଲିଥିବା ଏହି ମେଗା ଅଭିଯାନରେ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଓ ରୂପା ଅଳଙ୍କାର, ବ୍ୟାଙ୍କ୍ ପାସବୁକ୍, ସମ୍ପତ୍ତି ଦସ୍ତାବିଜ ଏବଂ ଗାଡ଼ି ଜବତ ହୋଇଛି। ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ପୋଲିସର ଏକାଧିକ ସ୍ପେଶାଲ ଟିମ୍ ରାଇରଙ୍ଗପୁର ଗ୍ରାମାଞ୍ଚଳ, ଝାରପୋଖରିଆ ଓ ବୈଶିଙ୍ଗା ଥାନା ଅଞ୍ଚଳରେ ଥିବା ବେଆଇନ ଗୋ-ବ୍ୟବସାୟୀଙ୍କ ଘରେ ଏକକାଳୀନ ଚଢ଼ାଉ କରିଥିଲେ। ଏହି କ୍ରମରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେନ୍ଦ୍ରେଇ ଗ୍ରାମର ଏସକେ ଟକରା ଓ ଏସକେ ତବରେଜଙ୍କ ଘରେ ପୋଲିସ ଅତର୍କିତ ଭାବେ ରେଡ୍ କରିଥିଲା। ଚଢ଼ାଉ ବେଳେ ଘରୁ ତିନୋଟି କାର୍ ଜବତ କରାଯିବା ସହ ବିପୁଳ ନଗଦ ଟଙ୍କା, ୪୨୨ ଗ୍ରାମ ରୂପା ଏବଂ ୨୬ ଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଛି। ଏହା ସହିତ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ସ୍ଥାବର-ଅସ୍ଥାବର ସମ୍ପତ୍ତିର କାଗଜପତ୍ର ମଧ୍ୟ ପୋଲିସ ଜବତ କରିଛି। ଗୋ-ମାଫିଆଙ୍କ ଆର୍ଥିକ ସାମ୍ରାଜ୍ୟକୁ ଭାଙ୍ଗିବା ପାଇଁ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button