CJP କୁ ବଡ ଝଟକା: X ଆକାଉଣ୍ଟକୁ ପୁନରୁଦ୍ଧାର କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚର୍ଚ୍ଚାରେ ଥିବା ‘କକ୍ରୋଚ୍ ଜନତା ପାର୍ଟି’ (CJP)କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟ୍କା ଲାଗିଛି। ଦଳର ସୋସିଆଲ ମିଡିଆ ‘X’ (ପୂର୍ବରୁ ଟ୍ୱିଟର) ଆକାଉଣ୍ଟକୁ ତୁରନ୍ତ ପୁନରୁଦ୍ଧାର (Restore) କରିବା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟ ମନା କରିଦେଇଛନ୍ତି। ଜଷ୍ଟିସ୍ ପୁରୁଷେନ୍ଦ୍ର କୁମାର କୌରବ, ଅଭିଜିତ ଦୀପକେଙ୍କ ନେତୃତ୍ୱାଧୀନ CJPର ଏହି ଆବେଦନର ଶୁଣାଣି କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ପୂର୍ବରୁ ଆମ ଆଦମୀ ପାର୍ଟି (AAP) ସହ ଜଡ଼ିତ ଥିବା ଅଭିଜିତ ଦୀପକେ ନିକଟରେ ଏହି ଅଭିନବ ଦଳ ଗଠନ କରିଥିଲେ। ଗତ ମେ ୧୫ ତାରିଖରେ ଜଣେ ଓକିଲଙ୍କ ବରିଷ୍ଠ ପଦବୀ ମାନ୍ୟତା ସମ୍ପର୍କିତ ଏକ ମାମଲାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତଙ୍କ “କକ୍ରୋଚ୍” (ରସାତଳ) ଏବଂ “ପରଜୀବୀ” ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦ ମଧ୍ୟରୁ ହିଁ ପ୍ରତୀକାତ୍ମକ ଭାବେ ‘କକ୍ରୋଚ୍ ଜନତା ପାର୍ଟି’ର ଜନ୍ମ ହୋଇଥିଲା। ଚଳିତ ମେ ୨୧ ତାରିଖରେ ଭାରତରେ CJPର ଅଫିସିଆଲ୍ ‘X’ ହ୍ୟାଣ୍ଡେଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ପରେ ଦଳ ପକ୍ଷରୁ “କକ୍ରୋଚ୍ ଇଜ୍ ବ୍ୟାକ୍” (Cockroach is Back) ନାମରେ ଏକ ନୂତନ ହ୍ୟାଣ୍ଡେଲ୍ ସୃଷ୍ଟି କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ, ମାତ୍ର କେଇଟା ଦିନ ମଧ୍ୟରେ ଏହି ନୂଆ ଆକାଉଣ୍ଟର ଅନୁଗାମୀ (Followers) ସଂଖ୍ୟା ୨.୨୭ ଲକ୍ଷରୁ ଅଧିକ ଅତିକ୍ରମ କରିସାରିଛି। ନିଜର ଅନନ୍ୟ ପ୍ରତୀକାତ୍ମକତା ଏବଂ ଜୋରଦାର ଡିଜିଟାଲ୍ ପ୍ରଚାର ରଣନୀତି ଯୋଗୁଁ ଏହି ଅଭିଯାନ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।



