ଆଜି ପବିତ୍ର ଇଦ-ଉଲ-ଜୁହା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ ଆଜି ପବିତ୍ର ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌-ଉଜ୍‌-ଜୁହା (ବକ୍ରି ଇଦ୍) ପାରମ୍ପରିକ ରୀତିନୀତି ଅନୁଯାୟୀ ବେଶ୍ ଉତ୍ସାହର ସହ ପାଳିତ ହେଉଛି। କୋଟି କୋଟି ମୁସଲିମ୍ ଭାଇଭଉଣୀ ଏହି ଗୁରୁତ୍ଵପୂର୍ଣ୍ଣ ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି। ଇସଲାମିକ କ୍ୟାଲେଣ୍ଡରର ଏହି ପବିତ୍ର ଉତ୍ସବ ସମାଜକୁ ସାଧୁତା, ସଂକଳ୍ପ, ତ୍ୟାଗ ଏବଂ ଦୟାର ବାର୍ତ୍ତା ଦେଇଥାଏ। ଦିଲ୍ଲୀ, କଲିକତା, ମୁମ୍ବାଇ, ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ଭଳି ଦେଶର ପ୍ରମୁଖ ସହରଗୁଡ଼ିକରେ ଏଥିପାଇଁ ସରକାରୀ ଛୁଟି ଘୋଷଣା କରାଯାଇଥିବା ବେଳେ ଏହି ପର୍ବ ସାମ୍ପ୍ରଦାୟିକ ସଦ୍ଭାବନାକୁ ଆହୁରି ମଜବୁତ କରୁଛି। ବକ୍ରି ଇଦ୍‌ର ମୁଖ୍ୟ ଆଧାର ହେଉଛି ‘କୁର୍ବାନୀ’, ଯାହା ଆହ୍ଲାଙ୍କ ଇଚ୍ଛା ଆଗରେ ନିଜର ସବୁଠାରୁ ପ୍ରିୟ ଜିନିଷକୁ ତ୍ୟାଗ କରିବାର ପ୍ରତୀକ ଅଟେ। ହଜରତ ଇବ୍ରାହିମ ଏବଂ ତାଙ୍କ ପୁତ୍ରଙ୍କ ଅତୁଟ ନିଷ୍ଠା ଓ ତ୍ୟାଗକୁ ସମ୍ମାନ ଜଣାଇ ଏହି ପର୍ବ ପାଳନ କରାଯାଏ। ମକ୍କାରେ ପବିତ୍ର ହଜ୍ ଯାତ୍ରାର ଶେଷ ଦିନରେ ଏହି ଉତ୍ସବ ଆରମ୍ଭ ହୋଇଥାଏ। ଆଜି ସକାଳୁ ବିଭିନ୍ନ ମସଜିଦ୍ ଏବଂ ଇଦ୍‌ଗାହଗୁଡ଼ିକରେ ସମୂହ ନମାଜ ପାଠ କରାଯାଇଛି। ପରମ୍ପରା ଅନୁଯାୟୀ, ଆର୍ଥିକ ସାମର୍ଥ୍ୟ ଥିବା ପରିବାର ପକ୍ଷରୁ ପଶୁ ବଳିଦାନ (କୁର୍ବାନୀ) ଦିଆଯାଇଥାଏ। ଏହି ଅବସରରେ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ଓ ସାହାଯ୍ୟ ପ୍ରଦାନ କରାଯାଇ ସମାଜରେ ସମାନତାର ବାର୍ତ୍ତା ପ୍ରସାର କରାଯାଏ। ମେ ୨୮ରେ ମୁଖ୍ୟ ପର୍ବ ପାଳିତ ହେଉଥିଲେ ହେଁ ସ୍ଥାନୀୟ ପରମ୍ପରା ଅନୁସାରେ ଏହି ଉତ୍ସବ ୨ ରୁ ୪ ଦିନ ପର୍ଯ୍ୟନ୍ତ ଚାଲିବ।  ପବିତ୍ର ଇଦ୍‌-ଉଜ୍‌-ଜୁହା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X)ରେ ଏକ ପୋଷ୍ଟ କରି ରାଷ୍ଟ୍ରପତି ଲେଖିଛନ୍ତି- “ଇଦ୍‌-ଉଜ୍‌-ଜୁହା ଅବସରରେ ମୁଁ ସମସ୍ତ ନାଗରିକଙ୍କୁ, ବିଶେଷକରି ମୋର ମୁସଲମାନ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଏହି ପର୍ବ ଭକ୍ତି, ତ୍ୟାଗ ଏବଂ ବଳିଦାନର ପ୍ରତୀକ। ଏହା ଆମକୁ ମାନବତାର ସେବା କରିବାକୁ ପ୍ରେରଣା ଦିଏ।” ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶର ଜନସାଧାରଣଙ୍କୁ ଏହି ପବିତ୍ର ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି “ଇଦ୍‌-ଉଜ୍‌-ଜୁହାର ଅନେକ ଶୁଭେଚ୍ଛା। ଏହି ପର୍ବ ଆମ ସମାଜରେ ଭାଇଚାରା ଏବଂ ଖୁସିର ଭାବନାକୁ ଆହୁରି ମଜଭୁତ କରୁ। ସମସ୍ତଙ୍କ ସଫଳତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।”

Related Articles

Leave a Reply

Your email address will not be published. Required fields are marked *

Back to top button