ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଆମ୍ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ରାଜ୍ୟ ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଶ୍ରୀ ସଞ୍ଜୟ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବା ସହ ଆଗାମୀ ପଞ୍ଚାୟତ ଏବଂ ମ୍ୟୁନିସପାଲିଟି ନିର୍ବାଚନ ନିମନ୍ତେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ପହଞ୍ଚାଇବା ପାଇଁ ଆହ୍ବାନ ଜଣାଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା କାର୍ଯ୍ୟକର୍ତ୍ତା ଓ ନେତୃମଣ୍ଡଳୀଙ୍କୁ ଉଦବୋଧନ ଦେଇ ସାଂସଦ ଶ୍ରୀ ସିଂହ ଓଡ଼ିଶାର ସ୍ବାର୍ଥ ପାଇଁ ଆମ୍ ଆଦ୍‌ମୀ ପାର୍ଟି ହିଁ ଏକ ମାତ୍ର ବିକଳ୍ପ ଭାବେ ନିଜର ସାଙ୍ଗଠନିକ ଦକ୍ଷତାକୁ କିପରି ପ୍ରତିପାଦିତ କରିପାରିବ ସେଥିନିମନ୍ତେ ବିଭିନ୍ନ ରଣନୀତି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଦିଲ୍ଲୀ କ୍ୟାଣ୍ଟର ବିଧାୟକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ବୀରେନ୍ଦ୍ର ସିଂ କାଦିଆନ୍ ଯୋଗଦେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ନେଇ ନବଗଠିତ ଜୋନରେ କେନ୍ଦ୍ରୀୟ ଟିମ ଦ୍ବାରା ନିଯୁକ୍ତ ସହ ପ୍ରଭାରୀଙ୍କ ମାର୍ଗ ଦର୍ଶନରେ ପ୍ରସ୍ତୁତ ଯୋଜନାକୁ କିପରି ସଫଳକାମୀ କରାଯାଇ ପାରିବ ସେଥି ନିମନ୍ତେ ସମସ୍ତ ସକ୍ରିୟ ସଦସ୍ୟଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀର ସଭାପତିତ୍ବ କରୁଥିବା ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଆଗାମୀ ଦିନରେ ସଂଗଠନକୁ ବୁଥ୍ ଲେବେଲ୍ ପର୍ଯ୍ୟନ୍ତ ନେବା ପାଇଁ ଆହ୍ବାନ ଜଣାଇବା ସହ ଓଡ଼ିଶାରେ କିପରି ଆମ୍ ଆଦମୀ ପାର୍ଟି ଏକ ବିକଳ୍ପ ଶକ୍ତି ଭାବେ ଉଭା ହେବ ସେ ସଂପର୍କିତ ରଣନୀତି ପ୍ରଦାନ କରିବା ସହ ଆଗାମୀ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ କଠିନ ପରିଶ୍ରମ କରି ସାଙ୍ଗଠନିକ ସ୍ଥିତିକୁ ମଜବୁତ୍ କରିବାପାଇଁ ଆହ୍ୱାନ ଜଣାଇଥିଲେ।

ଓଡ଼ିଶାରେ ଜନସାଧାରଣଙ୍କ ପାଇଁ ଆମ୍ ଆଦମୀ ପାର୍ଟିକୁ ଏକ ଶକ୍ତିଶାଳୀ ବିକଳ୍ପ ଭାବରେ ପ୍ରସ୍ତୁତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ରୀୟ ନେତୃତ୍ୱ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିର୍ଭର ପ୍ରତିଶୃତି ଦେଇଥିବାରୁ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଏଥିପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ସମସ୍ତ ନେତୃ ମଣ୍ଡଳୀଙ୍କୁ ଓଡ଼ିଶାର ସମସ୍ତ ସଂଗ୍ରାମୀ କାର୍ଯ୍ୟକର୍ତ୍ତାଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ଟିମ୍ ଦ୍ଵାରା ନିଯୁକ୍ତ ସହ ପ୍ରଭାରୀ ଶ୍ରୀ ପୁନିତ୍ ରାୟ ଆଗାମୀ ତିନି ମାସ ମଧ୍ୟରେ ସଂଗଠନ ନିର୍ମାଣ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବା ପାଇଁ ଯୋଜନା ପ୍ରଦାନ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ସ୍ବାଇଁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଏହି ବୈଠକରେ ଅଂଶ ଗ୍ରହଣ କରିଥିବା ସମସ୍ତ ନେତୃମଣ୍ଡଳୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଉକ୍ତ ସମ୍ମିଳନୀରେ ରାଜ୍ୟ ସଂଗଠନର ସାଙ୍ଗଠନିକ ସମ୍ପାଦକ ଶ୍ରୀ ଭରତ ଦାସ୍, ଶ୍ରୀ କଲ୍ୟାଣ ଆନନ୍ଦ, ଶ୍ରୀ ଶ୍ରୀକାନ୍ତ ପାଣି , ଶ୍ରୀ ସନ୍ଦୀପ୍ତ ଦାସ୍,ଶ୍ରୀ ଭବାନୀ ସାହୁ, ଶ୍ରୀ ଜନ୍ମେଜୟ ସ୍ବାଇଁ , ସାମାଜିକ ଗଣମାଧ୍ୟମ ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ରାଜ୍ୟ ଯୁବ, ଆଦିବାସୀ ଏବଂ ମହିଳା ଶାଖାର ସଭାପତିଙ୍କ ସମେତ ବିଭିନ୍ନ ଜିଲ୍ଲାର ସଭାପତି ନିଜସ୍ଵ ମତ ପ୍ରଦାନ କରିବା ସହ ସମସ୍ତେ ଏକନିଷ୍ଠ ହୋଇ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ। ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ରାଜ୍ୟ ସଭା ସାଂସଦ ଶ୍ରୀ ସଞ୍ଜୟ ସିଂ ଏବଂ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସମ୍ମିଳନୀରେ ଶ୍ରୀ ଅରବିନ୍ଦ କେଜରିୱାଲ ଏବଂ ଆମ୍ ଆଦମୀ ପାର୍ଟିର ବିଚାରଧାରାରେ ଆକୃଷ୍ଟ ହୋଇ ଅନେକ ନୂତନ କାର୍ଯ୍ୟକର୍ତ୍ତା ଏବଂ ନେତୃମଣ୍ଡଳୀ ଦଳରେ ଯୋଗଦାନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button