ସୁନା ଓ ରୁପା ଦରରେ ବଡ଼ ଝଟକା: ଆମଦାନୀ ଶୁଳ୍କ ୬%ରୁ ୧୫%କୁ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ଦେଶରେ ସୁନା ଓ ରୁପା କିଣିବା ଏବେ ଆହୁରି ମହଙ୍ଗା ହୋଇଛି। କେନ୍ଦ୍ର ସରକାର ସୁନା ଓ ରୁପା ଉପରେ ଥିବା ସୀମା ଶୁଳ୍କ (Customs Duty) କୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଶୁଳ୍କ ୬ ପ୍ରତିଶତ ଥିବା ବେଳେ ଏହାକୁ ଏବେ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ପଡ଼ୁଥିବା ଚାପକୁ ହ୍ରାସ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୁନା ଆମଦାନୀ ପାଇଁ ବହୁ ପରିମାଣର ଡଲାର ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଏବଂ ବାଣିଜ୍ୟ ନିଅଣ୍ଟ ନିୟନ୍ତ୍ରଣ କରିବା ପାଇଁ ଶୁଳ୍କ ବୃଦ୍ଧି କରାଯାଇଛି। ପୂର୍ବରୁ ମଧ୍ୟ ଅର୍ଥନୀତିକୁ ସନ୍ତୁଳିତ କରିବା ପାଇଁ ଅନାବଶ୍ୟକ ସୁନା କ୍ରୟ ନକରିବାକୁ ବିଭିନ୍ନ ସ୍ତରରେ ପରାମର୍ଶ ଦିଆଯାଇଥିଲା। ସୁନା ବ୍ୟବହାର କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଦେଶ। ଭାରତ ବାର୍ଷିକ ପ୍ରାୟ ୭୦୦ ରୁ ୮୦୦ ଟନ୍ ସୁନା ବ୍ୟବହାର କରୁଥିବା ବେଳେ ଦେଶରେ ମାତ୍ର ୧ ରୁ ୨ ଟନ୍ ସୁନା ଉତ୍ପାଦନ ହୋଇଥାଏ। ଫଳରେ ଭାରତକୁ ନିଜ ଚାହିଦାର ପ୍ରାୟ ୯୦ ପ୍ରତିଶତ ସୁନା ବିଦେଶରୁ ଆମଦାନୀ କରିବାକୁ ପଡ଼ିଥାଏ। ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ସୁନା ଆମଦାନୀ ୭୨ ବିଲିୟନ ଡଲାରରେ ପହଞ୍ଚିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୫୮ ବିଲିୟନ ଡଲାର ଥିଲା। ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ ସୁନା ଆମଦାନୀ ଖର୍ଚ୍ଚରେ ୨୪ ପ୍ରତିଶତ ବୃଦ୍ଧି ଘଟିଛି।



