ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ଆଲୋଚନା ପାଇଁ ଆସନ୍ତା ୩୦ ତାରିଖରେ ବସିବାକୁ ଯାଉଛି ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ। ଏହି ଗୁରୁତ୍ୱପୂର୍ଣ୍ଣ ଦିନିକିଆ ଅଧିବେଶନ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ବିଧାନସଭା ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ସୁରକ୍ଷା ଯାଞ୍ଚ ପାଇଁ STU, ଡଗ୍ ସ୍କ୍ୱାଡ୍ ଏବଂ ବମ୍ ସ୍କ୍ୱାଡ୍କୁ ନିୟୋଜିତ କରାଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏହି ସ୍ୱତନ୍ତ୍ର ଅଧିବେଶନ ୩୦ ତାରିଖ ସକାଳ ୧୧ଟାରୁ ଆରମ୍ଭ ହେବ। ମହିଳା ସଂରକ୍ଷଣ ବିଲ୍ ଉପରେ ବ୍ୟାପକ ଆଲୋଚନା କରିବା ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ।



