ପୁଣି ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ଭିତର କାଠ ନିକଟରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ

ଭୁବନେଶ୍ବର: ଶ୍ରୀମନ୍ଦିରରେ ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଛି ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରଖାଯାଇଛି। ସକାଳ ଧୂପ ନୀତି ସମାପ୍ତ ହେବା ପରେ ଗଣତି ମଣତି ଟିମ୍ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ରତ୍ନଭଣ୍ଡାର ମଧ୍ୟକୁ ପ୍ରବେଶ କରିଛନ୍ତି। ଆଜି ଭିତର ରତ୍ନଭଣ୍ଡାର ଗଣତିର ଦ୍ୱିତୀୟ ଦିବସ। ଗତ ୧୩ ତାରିଖରୁ ତୃତୀୟ ପର୍ଯ୍ୟାୟ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨୦ରୁ ଅଧିକ ପ୍ରକାରର ରତ୍ନ ଅଳଙ୍କାରର ଯାଞ୍ଚ ଶେଷ ହୋଇଛି। ପୂର୍ବରୁ ବାହାର ରତ୍ନଭଣ୍ଡାର ଏବଂ ଚଳନ୍ତି ରତ୍ନଭଣ୍ଡାରର ଗଣତି ସରିଥିବା ବେଳେ, ଏବେ ଭିତର ଭଣ୍ଡାର ଉପରେ ଧ୍ୟାନ ଦିଆଯାଉଛି। ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ପଣା ସଂକ୍ରାନ୍ତି ଏବଂ ୧୫ ତାରିଖରେ ମହାପ୍ରଭୁଙ୍କ ବନକଲାଗି ନୀତି ଥିବାରୁ ଏହି କାର୍ଯ୍ୟ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜିଠାରୁ ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାରର ଅଳଙ୍କାର ଗଣତି ଜାରି ରହିବ। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରକ୍ରିୟା ଚାଲିଛି। ଜିଲ୍ଲା ଟ୍ରେଜେରୀରୁ କଡ଼ା ସୁରକ୍ଷା ମଧ୍ୟରେ ଚାବି ଅଣାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯାଇଛି। ସରକାରଙ୍କ ଏସଓପି (SOP) ଅନୁଯାୟୀ, ସମସ୍ତ ଗଣତି ଓ ମାପ କାର୍ଯ୍ୟ ଭିତର ରତ୍ନଭଣ୍ଡାର ପରିସର ମଧ୍ୟରେ ହିଁ ସମ୍ପାଦିତ ହେଉଛି।



