ଏସ୍ସିବି ଟ୍ରମା ଆଇସିୟୁରେ ନିଆଁ ଲାଗିବା ଘଟଣାରା ତଦନ୍ତ ଆରମ୍ଭ

ଭୁବନେଶ୍ବର: ଏସ୍ସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣାକୁ ଆଉ ଦିନ କେଇଟା ପରେ ମାସେ ପୂରିବ । ଏହାରି ଭିତରେ ଏସ୍ସିବି ଟ୍ରାଜେଡିର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ତଦନ୍ତକାରୀ ଟିମ୍ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟିମ୍ ଅଗ୍ନିକାଣ୍ଡ ସମ୍ପର୍କରେ ନର୍ସ ଓ କର୍ମଚାରୀଙ୍କୁ ପଚରାଉଚରା କରୁଛନ୍ତି। ସୂଚନା ଅନୁଯାଇ, ମାର୍ଚ୍ଚ ୧୬ ତାରିଖରେ ଏସ୍ସିବି ମେଡିକାଲ୍ ଆଇସିୟୁରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ଟ୍ରମା ବିଲ୍ଡିଂରେ ପ୍ରଥମ ମହଲାରେ ଥିବା ଆଇସିୟୁରେ ଛାରଖାର ହୋଇଯାଇଥିବା ବେଳେ ଏହାର ସମ୍ମୁଖରେ ଥିବା ଅପରେସନ୍ ଥିଏଟର (ଓଟି)ରେ ଧୂଆଁ ଧାସ ବାଜିଥିଲା । ଓଟିରେ ବିଶେଷ କିଛି କ୍ଷତି ହୋଇନଥିଲେ ମଧ୍ୟ ତାହା ମାର୍ଚ୍ଚ ୧୬ ତାରିଖରୁ ବନ୍ଦ ରହିଛି । ଏହି ଅଗ୍ନିକାଣ୍ଡର ୧୨ଜଣ ରୋଗୀଙ୍କୁ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ଵାଳ ନ୍ୟାୟିକ ତଦନ୍ତ କରିବେ। ଏହି ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ଏସ.ସି.ବି ର ସମସ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ତଦନ୍ତରୁ କାହାର ଅବହେଳା ଜଣାପଡ଼ିଲେ ବା କେହି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।



