ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଜଳସେଚନ ମଣ୍ଡଳର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି । ଚଢ଼ାଉରେ ରାଜେଶଙ୍କଠୁ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ସମ୍ପତ୍ତି ନେଇ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏନେଇ କଟକ ଭିଜିଲାନ୍ସ ଥାନାରେ ମାମଲା (ନଂ.୧୫/୨୦୨୬) ପଞ୍ଜିକୃତ କରାଯାଇଛି । ଅଭିଯୁକ୍ତ ରାଜେଶଙ୍କୁ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ରାଜେଶଙ୍କ ନିକଟରୁ ଭିଜିଲାନ୍ସ ଟିମ୍ ବହୁ ପରିମାଣର ସମ୍ପତ୍ତି ଠାବ କରିଛି । ଏପରିକି ପ୍ଲଟ୍, ଫାର୍ମ ହାଉସ, ଟଙ୍କା, ସୁନା ଆଦି ମଧ୍ୟ ଠାବ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜେଶଙ୍କ ଭୁବନେଶ୍ୱର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ଲେନ-୮ରେ ପ୍ଲଟ୍ ନଂ. ୨୧୦-ବି ସ୍ଥିତ ୩୦୦୦ ବର୍ଗଫୁଟରେ ଥିବା ୩ ମହଲା କୋଠା ଠାବ ହୋଇଛି । ଏଥିସହ ଢେଙ୍କାନାଳ ଜିଲ୍ଲା ଭାପୁର ବିମ୍ବୋଳ ଅଞ୍ଚଳରେ ଗୋଟିଏ ଦୁଇ ମହଲା କୋଠା ସମେତ ଫାର୍ମ ହାଉସ ମଧ୍ୟ ଠାବ ହୋଇଛି । ରାଜେଶଙ୍କ ମୋଟ୍ ୮ଟି ପ୍ଲଟ୍ ଥିବା ଜଣାପଡିଛି । ଏହାମଧ୍ୟରୁ ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍, ଯାଜପୁର କଳିଙ୍ଗନଗରେ ଗୋଟିଏ ଏବଂ ବିମ୍ବୋଳ ଅଞ୍ଚଳରେ ୬ ପ୍ଲଟ୍ ରହିଛି ।



