ବିଜୁ ବାବୁଙ୍କୁ ଅପମାନ ପ୍ରସଙ୍ଗ: ବିରୋଧୀଙ୍କ ନାରାବାଜିରେ କମ୍ପିଲା ଗୃହ

ଭୁବନେଶ୍ୱର: ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟକୁ କେନ୍ଦ୍ର କରି ଆଜି ଓଡିଶା ବିଧାନସଭା ରେ ଭାରି ହଙ୍ଗାମା ଦେଖାଦେଇଛି । ବିଜେଡି ଓ କଂଗ୍ରେସ ସହିତ ବିରୋଧୀ ଦଳଗୁଡିକ ଗୃହ ମଧ୍ୟରେ ନାରାବାଜି କରି ତୀବ୍ର ପ୍ରତିବାଦ ଜଣାଇଥିଲେ । ପ୍ରଶ୍ନକାଳ ଆରମ୍ଭ ହେବା ସହିତ ବିରୋଧୀ ସଦସ୍ୟମାନେ “ବରପୁତ୍ର ବିଜୁ ବାବୁ ଅମର ରହେ” ଓ “ଓଡ଼ିଆ ଅସ୍ମିତାର ଅପମାନ ଚଳିବ ନାହିଁ” ପରି ସ୍ଲୋଗାନ ଦେଇ ଗୃହକୁ କମ୍ପାଇଥିଲେ। ସେମାନେ ଦାବି କରିଥିଲେ ଯେ, ବିଜୁ ପଟ୍ଟନାୟକଙ୍କ ବିରୋଧରେ ହୋଇଥିବା ମନ୍ତବ୍ୟ ଓଡ଼ିଆ ସମ୍ମାନକୁ ଆଘାତ କରିଛି ଏବଂ ଏନେଇ ସରକାର ସ୍ପଷ୍ଟ ଜବାବ ଦିଅ । ହଙ୍ଗାମା ମଧ୍ୟରେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଗୃହରେ ଉପସ୍ଥିତ ନଥିବା ଦେଖାଗଲା । ଏହି ସମୟରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ପ୍ରଶ୍ନଗୁଡିକର ଉତ୍ତର ଦେଇଥିଲେ । ବିଜୁ ପଟ୍ଟନାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ବିରୋଧ ରେ ଗୃହରେ ପ୍ରସ୍ତାବ ଆଣିବାକୁ ବାଚସ୍ପତି ଙ୍କ ଦୃଷ୍ଟି ଆକର୍ଷଣ କଲେ ବିରୋଧୀ । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଆଲୋଚନା ପାଇଁ ବାଚସ୍ପତି ଙ୍କୁ ଚିଠି ଲେଖିଛନ୍ତି । ବିରୋଧୀ ସଦସ୍ୟମାନେ ଟେବୁଲ ବଡାଇ ଗୃହରେ ତୀବ୍ର ପ୍ରତିବାଦ କରୁଥିବାବେଳେ ବାଚସ୍ପତିଙ୍କୁ ନିନ୍ଦା ପ୍ରସ୍ତାବ ପାରିତ କରିବାକୁ ଦାବି କରିଥିଲେ । ବାଚସ୍ପତିଙ୍କ ନୀରବତାକୁ ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଥିଲେ ।



