ଆଜିଠୁ ସ୍ଥଳସେନା ମୁଖ୍ୟଙ୍କ ୩ ଦିନିଆ ଓଡ଼ିଶା ଗସ୍ତ; ବିଭିନ୍ନ ସାମରିକ କାର୍ଯ୍ୟକ୍ରମରେ ହେବେ ସାମିଲ

ଭୁବନେଶ୍ୱର: ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ଅର୍ଥାତ ଶୁକ୍ରବାରଠାରୁ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିବେ । ମାର୍ଚ୍ଚ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସେ ଓଡିଶାରେ ରହିବେ । ଏହି ଗସ୍ତ ଅବସରରେ ସେ ଭୁବନେଶ୍ୱର, ପୁରୀ ଓ ଗୋପାଳପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେନାମୁଖ୍ୟ ଯୋଗଦାନ କରିବେ। ଏହି ଗସ୍ତ ସମୟରେ ସେନାମୁଖ୍ୟଙ୍କୁ ରାଜ୍ୟ ଅତିଥି ମର୍ଯ୍ୟାଦା ଦିଆଯିବ। ପ୍ରୋଟକୋଲ୍ ଅନୁଯାୟୀ ଦ୍ବିବେଦୀଙ୍କୁ ପାଇଲଟ ସହ ସୁରକ୍ଷା ଯୋଗାଇଦେବାକୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଗସ୍ତବେଳେ ଜେନେରାଲ ଦ୍ବିବେଦୀଙ୍କ ସହ ତାଙ୍କ ପତ୍ନୀ ଓ ଅନ୍ୟ ଅଫିସର ମଧ୍ୟ ଆସିବେ। ଏହି ଅବସରରେ ପୁରୀ, ଗଞ୍ଜାମ ଓ ଭୁବନେଶ୍ୱର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଜି ସନ୍ଧ୍ୟାରେ ଜେନେରାଲ ଦ୍ବିବେଦୀ ନୂଆଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ପରେ ସେ ଗାଡିରେ ଭୁବନେଶ୍ୱରସ୍ଥିତ ୧୨୦ ଇନ୍‌ଫାଣ୍ଟ୍ରି ବଟାଲିଅନକୁ ଯାଇ ସେଠାରେ ରାତିଯାପନ କରିବେ। ତେବେ ଶନିବାର ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଠି । ପରେ ତାଳବାଣିଆ ହେଲିପ୍ୟାଡ ଯାଇ ସେଠାରୁ ହେଲିକ୍ୟାପ୍ଟର ଯୋଗେ ଗୋପାଳପୁର ମିଲିଟାରୀ ଷ୍ଟେସନରେ ପହଞ୍ଚିବେ।

Related Articles

Leave a Reply

Your email address will not be published. Required fields are marked *

Back to top button