ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଦୁର୍ଲଭ ରତ୍ନ ଅଳଙ୍କାର ଗଣତି ପ୍ରକ୍ରିୟା ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା (SOP) ଅନୁଯାୟୀ ଏହି ସମସ୍ତ କାର୍ଯ୍ୟ ସମାପନ କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ପରେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେବାୟତ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଗଣତି କାର୍ଯ୍ୟକୁ କିଭଳି ସୁରୁଖୁରୁରେ ଓ ସୁରକ୍ଷିତ ଭାବେ କରାଯିବ, ସେ ନେଇ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ରତ୍ନଭଣ୍ଡାରରେ ଥିବା ପ୍ରତ୍ୟେକ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡିଓଗ୍ରାଫି ଏବଂ ଫୋଟୋଗ୍ରାଫି କରାଯିବ। ଏହାସହ ସ୍ୱଚ୍ଛତା ରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଥ୍ରୀ-ଡି ମ୍ୟାପିଂ ମଧ୍ୟ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସରକାରଙ୍କ SOP ଅନୁଯାୟୀ, ଗଣତି ସମୟରେ କେବଳ ପ୍ରାଧିକୃତ ବ୍ୟକ୍ତିବିଶେଷଙ୍କୁ ହିଁ ଭିତରକୁ ପ୍ରବେଶ ଅନୁମତି ମିଳିବ। ସମଗ୍ର ପ୍ରକ୍ରିୟାକୁ ଅତ୍ୟନ୍ତ ଗୋପନୀୟ ଏବଂ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button