ଆଜି ପଖାଳ ଦିବସ, ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ପଖାଳ, ଓଡ଼ିଆଙ୍କ ଆବେଗ । ସକାଳ ହେଉ କି ସଞ୍ଜ, ସବୁବେଳେ ଓଡ଼ିଆଙ୍କ ପସନ୍ଦ ପଖାଳ କଂସା । ପଖାଳ କଂସାରେ ଥାଏ ଓଡ଼ିଆଙ୍କ ପ୍ରାଣ । ଗାଁ ହେଉ କି ସହର, ପଖାଳର ବାସ୍ନା ସବୁଠି ମହକିଥାଏ । ଆଜି ବିଶ୍ବ ପଖାଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ରାଜନେତା ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପଖାଳ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ଏହା ଆମ ମାଟିର ବାସ୍ନା, ଆମ ପରମ୍ପରାର ଗୌରବ ଏବଂ ଓଡ଼ିଆ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ । ଆଜି ‘ପଖାଳ ଦିବସ’ ଅବସରରେ ସମସ୍ତ ଓଡ଼ିଶାବାସୀ ଓ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଆସନ୍ତୁ, ଆମର ଏହି ପାରମ୍ପରିକ ଖାଦ୍ୟର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବା । ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି, “ପଖାଳ ଦିବସ ଅବସରରେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ପଖାଳ କେବଳ ଏକ ସାଧାରଣ ଖାଦ୍ୟ ନୁହେଁ, ଏହା ଓଡ଼ିଆ ଜୀବନ ଶୈଳୀର ସରଳତା ଓ ପରମ୍ପରାର ଜୀବନ୍ତ ପ୍ରତୀକ । ଆସନ୍ତୁ, ଏହି ପବିତ୍ର ଦିନରେ ପଖାଳର ସ୍ୱାଦକୁ ଉପଭୋଗ କରିବା ସହିତ ଆମ ଓଡ଼ିଆ ସଂସ୍କୃତି ଓ ଅସ୍ମିତାକୁ ରୁଦ୍ଧିମନ୍ତ କରିବା ।” ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, “ସମସ୍ତ ଓଡ଼ିଶାବାସୀଙ୍କୁ ‘ପଖାଳ ଦିବସ’ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ପଖାଳ କେବଳ ଆମର ଏକ ପ୍ରିୟ ଖାଦ୍ୟ ନୁହେଁ, ବରଂ ଏହା ଓଡ଼ିଆ ଅସ୍ମିତା ଓ ପରମ୍ପରାର ପ୍ରତୀକ । ଆସନ୍ତୁ, ଆଜିର ଏହି ଦିନକୁ ଆନନ୍ଦର ସହ ପାଳନ କରିବା ସହିତ ଆମ ସଂସ୍କୃତିର ଏହି ଅନନ୍ୟ ସ୍ବାଦକୁ ଉପଭୋଗ କରିବା ।”ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, “ଓଡ଼ିଆଙ୍କ ଜୀବନ ଧନ କୁହାଯାଉଥିବା ପଖାଳ କଂସା କେବଳ ଖାଦ୍ୟ ବିଶେଷ ନୁହେଁ, ଏହା ପ୍ରତି ଓଡ଼ିଆଙ୍କ ଆବେଗ । ପଖାଳ ଦିବସ ଅବସରରେ ସମସ୍ତ ପଖାଳପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।” କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,’ପଖାଳ’ ହେଉଛି ଓଡ଼ିଆ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଶାର କୃଷି ଓ ପରମ୍ପରା ସହିତ ପଖାଳର ସମ୍ପର୍କ ଅତୁଟ । ଏହା କେବଳ ଏକ ବ୍ୟଞ୍ଜନ ନୁହେଁ, ବରଂ ଏହା ଆମ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ । ସମସ୍ତଙ୍କୁ ‘ପଖାଳ ଦିବସ’ର ହାର୍ଦ୍ଦିକ ଅଭିନନ୍ଦନ ।”



