ଓଡ଼ିଶା କଂଗ୍ରେସରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ: ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋସ ଦଳରୁ ନିଲମ୍ବିତ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଦଳୀୟ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ଦଳର ତିନିଜଣ ପ୍ରଭାବଶାଳୀ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳୀୟ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଏବଂ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଦଳର ନିତି-ନିୟମକୁ ଉଲ୍ଲଂଘନ କରିବା ଏବଂ ଅଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଏହି ନିଲମ୍ବନ ତୁରନ୍ତ କାର୍ଯ୍ୟକାରୀ ହୋଇଛି। ଖାଲି ନିଲମ୍ବନ ନୁହେଁ, ବରଂ ଏହି ତିନି ବିଧାୟକଙ୍କ ବିରୋଧରେ ଆଗକୁ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଦଳ ପ୍ରସ୍ତୁତ ହେଉଛି। ଏହି ତିନି ନେତାଙ୍କ ବିଧାୟକ ପଦ ବା ସଭ୍ୟ ପଦ ରଦ୍ଦ କରିବା ପାଇଁ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି। ଏହାସହ ଉକ୍ତ ତିନିଜଣଙ୍କୁ ଦଳରୁ ସ୍ଥାୟୀ ଭାବେ ବହିଷ୍କାର କରିବା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) କୁ ମଧ୍ୟ ଅନୁରୋଧ କରାଯିବ। ଏହି ନିଲମ୍ବନ ଖବର ପ୍ରସାରିତ ହେବା ପରେ କଂଗ୍ରେସ ଶିବିରରେ ହଲଚଲ ସୃଷ୍ଟି ହୋଇଛି। ବିଶେଷ କରି ସୋଫିଆ ଫିର୍ଦୋସଙ୍କ ଭଳି ଯୁବ ନେତ୍ରୀ ଏବଂ ରମେଶ ଜେନାଙ୍କ ଭଳି ଟାଣୁଆ ନେତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଦଳ ଭିତରେ ଥିବା ଅନ୍ତଃକନ୍ଦଳକୁ ପଦାରେ ପକାଇଛି। ଆଗାମୀ ଦିନରେ ଏହି ପଦକ୍ଷେପ ରାଜ୍ୟ କଂଗ୍ରେସର ସଂଗଠନ ଉପରେ କି ପ୍ରଭାବ ପକାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button