ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ

ଭୁବନେଶ୍ୱର: ପାଠପଢାକୁ ଶୃଙ୍ଖଳିତ ଓ ସୁଚାରୁ ରଖିବାପାଇଁ ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ୧୭୫୩ ଜଣ ଅତିଥି ଅଧ୍ୟାପକ ନିୟୋଜନ କରାଯାଇଛି। ଏମାନେ ମାସକୁ ସର୍ବାଧିକ ୩୫ ହଜାର ଟଙ୍କାର ପାଉଣା ପାଇବେ। ରାଜ୍ୟର ମହାବିଦ୍ୟାଳୟଗୁଡିକରେ ଅତିଥି ଅଧ୍ୟାପକ ନିଯୁକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବାଏକ ପ୍ରଶ୍ନର ଲିଖିତ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏବ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବାବେଳେ ପାଠପଢା କାର୍ଯ୍ୟ ବ୍ୟାହତ ନହେବା ପର୍ଯ୍ୟନ୍ତ ଏବଂ ପାଠପଢାକୁ ଶୃଙ୍ଖଳିତ ଓ ସୁଚାରୁ ରଖିବାପାଇଁ ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ୧୭୫୩ ଜଣ ଅତିଥି ଅଧ୍ୟାପକ ନିୟୋଜନ କରାଯାଇଛି । ଏହି ଅତିଥି ଅଧ୍ୟାପକମାନଙ୍କୁ ପ୍ରତି କ୍ଲାସ ପ୍ରତି ୭୦୦ ଟଙ୍କା ହାତରେ ମାସିକ ସର୍ବାଧିକ ୫୦ଟି କ୍ଲାସ ପାଇଁ ସର୍ବାଧିକ ୩୫ହଜାର ଟଙ୍କା ପ୍ରଦାନ କରାଯାଉଛି । ସେହିଭଳି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଚାଲୁଥିବା ସମସ୍ତ ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ପାଠପଢାଇବାପାଇଁ ବର୍ତ୍ତମାନ ସମୟରେ କୌଣସି ଠିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଯେହେତୁ କୌଣସି ଠିକା ଅଧ୍ୟାପକ ନିଯୁକ୍ତ ହୋଇନାହାନ୍ତି ତେଣୁ ସେମାନଙ୍କ ପାଇଁ ଅଲଗା କୌଣସି ନିଯୁକ୍ତି ସର୍ତ୍ତ ନାହିଁ। ସରକାରୀ ମହାବିଦ୍ୟାଳୟ ସଂକ୍ରାନ୍ତରେ ବିଧାୟକ ଶ୍ରୀ ତ୍ରିପାଠୀ ପଚାରିଥିବା ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେବର୍ତ୍ତମାନ ସୁଦ୍ଧା ୬୬ଟିସରକାରୀ ଡିଗ୍ରୀ କଲେଜ ଓ ୧୬ଟି ଶିକ୍ଷକ ଶିକ୍ଷା କଲେଜ ରହିଛି। ଝାରସୁଗୁଡା, ଜଗତ୍‍ସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ସରକାରୀ ଡିଗ୍ରୀ କଲେଜ ନାହିଁ। ଯେଉଁଠାରେ ସରକାରୀ ମହାବିଦ୍ୟାଳୟ ନାହିଁ, ସେଠାରେ ନୂତନ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କର ବିଚାରାଧିନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button