ରଥଯାତ୍ରା ପାଇଁ ୨ୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର :ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତିର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ଜାନୁୟାରୀ ୧୩ତାରିଖରେ ଅନୁଷ୍ଠିତ ପ୍ରଥମ ସମନ୍ୱୟ କମିଟି ବୈଠକର ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟକାରିତାର ସମୀକ୍ଷା ହୋଇଥିଲା। ଚଳିତବର୍ଷ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ଥିବାବେଳେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।ବୈଠକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ପୁଲିସ ଏସପି ପ୍ରତୀକ ସିଂ ରଥଯାତ୍ରା ମାଷ୍ଟରପ୍ଲାନ-୨୦୨୬କୁ ଉପସ୍ଥାପନ କରିଥିଲେ।ଚଳିତବର୍ଷ ରଥଯାତ୍ରା ଜୁଲାଇ ୧୬ତାରିଖରେ ଓ ବାହୁଡ଼ା ଯାତ୍ରା ଜୁଲାଇ ୨୪ରେ, ସୁନାବେଶ ଜୁଲାଇ ୨୫ ଓ ନିଳାଦ୍ରୀ ବିଜେ ଜୁଲାଇ ୨୭ରେ ଅନୁଷ୍ଠିତ ହେବ। ପୂର୍ବବର୍ଷର ଅନୁଭୂତିକୁ ଆଧାର କରି ଉଭୟ ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ଦୁଇଟି ପୃଥକ ଚାରମାଳ ବ୍ୟବସ୍ଥା କରାଯିବ। ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଥିଲେ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ଼ ପରିଚାଳନା ପାଇଁ ଉତ୍ତରା ଛକଠାରୁ ପୁରୀ ସହର ପର୍ଯ୍ୟନ୍ତ ଓ ବଡ଼ଦାଣ୍ଡରେ ଯଥେଷ୍ଟ ପରିମାଣର ସିସିଟିଭି କ୍ୟାମେରା ଲଗାଯିବ। ଏହି କାର୍ଯ୍ୟରେ ‘ଓକାକ୍‌’ ସହାୟତା କରୁଛି। ଶ୍ରୀଜୀଉଙ୍କ ପହଣ୍ଡି ଓ ରଥଯାତ୍ରାର ଧାରାବିବରଣୀ ସମ୍ପର୍କରେ ଶ୍ରଦ୍ଧାଳୁଙ୍କୁ ସୂଚନା ଦେବା ପାଇଁ ଆଇଆଣ୍ଡପିଆର ବିଭାଗ ପକ୍ଷରୁ ୭୦ଟି ସ୍ଥାନରେ ବଡ଼ବଡ଼ ଏଲଇଡି ଟିଭି ଲଗାଯିବାର ବ୍ୟବସ୍ଥା ହୋଇଛି। ଭକ୍ତଙ୍କ ସୁବିଧା ପାଇଁ ବଡ଼ଦାଣ୍ଡରେ ୫୦ଟି ହାଇମାଷ୍ଟ ଲାଇଟ୍ ଲଗାଯିବ। ଭିଡ଼ ନିୟନ୍ତ୍ରଣ ଓ ଜନଗହଳି ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପାର୍କିଂ ସ୍ଥଳ ନିର୍ମାଣ କରାଯିବ ବୋଲି ବୈଠକରୁ ଜଣାପଡ଼ିଛି।ସେହିପରି ରଥଯାତ୍ରା ପୂର୍ବରୁ ସମସ୍ତ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ବର୍ଷ ସମୟରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ନଗର ଉନ୍ନୟନ ଓ ଅଗ୍ନିଶମ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button