ତୁଟିଲା ବିବାଦ: ପିଲା ଅଙ୍ଗନବାଡି ଆସି ପାଠ ପଢିଲେ, ଭୋଜନ କଲେ

ଭୁବନେଶ୍ବର: ନୂଆଗାଁ ଅଙ୍ଗନବାଡି ଜାତିବାଦ ବିବାଦରେ ପଡିଲା ଯବନିକା । ଦୀର୍ଘ 88 ଦିନ ପରେ ଅଙ୍ଗନବାଡି ଆସିଲେ କୁନି କୁନି ପିଲା । ପାଠ ପଢିଲେ, ମଧ୍ୟାହ୍ନ ଭୋଜନ ଖାଇଲେ । ଦୀର୍ଘ ଦିନ ଧରି ଶାନ୍ତ ପଡିଥିବା ଅଙ୍ଗନବାଡି କେନ୍ଦ୍ର ଶିଶୁଙ୍କ କୋଳାହଳରେ ପୂରି ଉଠିଥିଲା । ଏପଟେ କୁନି କୁନି ଶିଶୁଙ୍କୁ ଲଡୁ ଖୁଆଇ ଉତ୍ସାହିତ କରିଥିଲେ ରାଜନଗର ବିଧାୟକ ଧ୍ରୁବଚରଣ ସାହୁ । ଗ୍ରାମବାସୀ ଲୋକେ କହିଲେ ଜାତିପ୍ରଥା ନୁହେଁ ଗାଁରେ ଭୁଲ ବୁଝାମଣା ଥିଲା । ଦୀର୍ଘଦିନ ପରେ କୋମଳମତି ଛାତ୍ରଛାତ୍ରୀ ଆସିଲେ ଅଙ୍ଗନବାଡ଼ି । ମହିଳା କମିଶନ ସଦସ୍ୟା, ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା,ଜିଲ୍ଲା ଓ ବ୍ଲକ ପ୍ରଶାସନର ଉଦ୍ୟମରେ ଆଜି ୨୦ ଜଣ ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬ଜଣ ଛାତ୍ରଛାତ୍ରୀ କେନ୍ଦ୍ରକୁ ଆସିବାରେ ସମର୍ଥ ହୋଇଛନ୍ତି ।



