ପୁଲିସ ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ: ମୁନା ମହାନ୍ତିଙ୍କୁ ହାଇକୋର୍ଟରୁ ଅନ୍ତରୀଣ ଜାମିନ

ଭୁବନେଶ୍ବର: ପୁଲିସ୍ ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ଅନ୍ୟତମ ଅଭିଯୁକ୍ତ ମୁନା ମହାନ୍ତିଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଅଧିକ ଚିକିତ୍ସା ପାଇଁ ସେ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ଏହାକୁ ମାନବିକତା ଦୃଷ୍ଟିକୋଣରୁ ବିଚାର କରି ତାଙ୍କୁ ୧୫ଦିନ ପାଇଁ ଜାମିନ୍ ପ୍ରଦାନ କରିଛନ୍ତି । ଯେଉଁଦିନ ଜାମିନ୍ ଅବଧି ଶେଷ ହେବ ଏହାର ପରଦିନ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନଚେତ୍ ନିମ୍ନ ଅଦାଲତ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଆଦେଶ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ପୁଲିସ୍ ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ସିବିଆଇ ପକ୍ଷରୁ ପ୍ରାୟ ୧୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୨ଜଣ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁନା ମହାନ୍ତିଙ୍କ ଯକୃତ ଖରାପ ଥିବାର କାଗଜପତ୍ର ମଧ୍ୟ ଦାଖଲ କରାଯାଇଥିଲା । ଏହାଉପରେ ସିବିଆଇକୁ ଜବାବ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ପୂର୍ବ ଶୁଣାଣିରେ ସିବିଆଇ ପକ୍ଷରୁ ଅଦାଲତରେ ଜବାବ ଦାଖଲ କରାଯାଇନଥିଲା । ମୁନା ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ପୁନର୍ବାର ଆଜି ଏହା ଉପରେ ଶୁଣାଣି ହୋଇଥିଲା । ହାଇକୋର୍ଟ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଆବେଦନକାରୀଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ଆସନ୍ତା ୧୬ ତାରିଖରେ ସମସ୍ତ ଅଭିଯୁକ୍ତଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି ।



