ସଠିକ୍ ସମୟରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ: ସମନ୍ବୟ ବୈଠକରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଆସନ୍ତା ୧୫ ତାରିଖ ରବିବାର ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରୀ ପର୍ବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବର ଲୋକସେବା ଭବନ ସ୍ଥିତ ଆଇନ ବିଭାଗର ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ସମ୍ବନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେବାୟତ, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ଆଲୋଚନା ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ କରିବା, ଠିକ୍ ସମୟରେ ମହାଦୀପ ଉଠାଇବା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ମନ୍ତ୍ରୀ ବିଶେଷ ଗୁରୁତ୍ବ ଦେଇଛନ୍ତି। ଏଥିସହ ଟ୍ରାଫିକ ସୁପରିଚାଳନା, ପରିଷ୍କାର ପରିଚ୍ଛନ୍ନତା, ପାନୀୟ ଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା ଯେପରି ସୁରୁଖୁରୁରେ ହେବ, ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏହି ବୈଠକରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଆଇନ ବିଭାଗ ଶାସନ ସଚିବ, ପୋଲିସ କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସେବାୟତ ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ମିଳିତ ସହଯୋଗରେ ଜାଗର ପର୍ବକୁ “ଶୂନ୍ୟ ଅଘଟଣ” ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button