ଓଭରବ୍ରିଜରୁ ୩୦ ଫୁଟ ତଳକୁ ଖସିଲା କାର୍: ରାଜଧାନୀରେ ଅଳ୍ପକେ ଟଳିଲା ବଡ଼ ଅଘଟଣ, ୨ ଆହତ

ଭୁବନେଶ୍ୱର: ରାଜଧାନୀରେ ସୋମବାର ସକାଳୁ ଏକ ଶିହରଣକାରୀ ସଡ଼କ ଦୁର୍ଘଟଣା ଘଟିଯାଇଛି। କ୍ୟାପିଟାଲ ଥାନା ଅନ୍ତର୍ଗତ ଶିଶୁଭବନ ଛକ ନିକଟସ୍ଥ ମାଉସୀ ମା’ ଫ୍ଲାଇଓଭର ଉପରୁ ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ବ୍ୟାରିକେଡ୍ ଭାଙ୍ଗି ପ୍ରାୟ ୩୦ ଫୁଟ ତଳକୁ ଖସିପଡ଼ିଛି। କାର୍ଟି ସିଧାସଳଖ କେଦାରପଲ୍ଲୀ ବସ୍ତିର ଏକ ଘର ଉପରେ ପଡ଼ିଥିବା ବେଳେ ଏଥିରେ ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଡ଼ିଟି ଅତ୍ୟନ୍ତ ଦ୍ରୁତ ଗତିରେ ଆସି ପ୍ରଥମେ ବ୍ରିଜ୍ ପାଚେରୀକୁ ଧକ୍କା ଦେଇଥିଲା ଏବଂ ପରେ ବରଗଛ ଡାଳରେ ପିଟି ହୋଇ ତଳେ ଥିବା ଆସବେଷ୍ଟସ୍ ଘର ଉପରେ କଚାଡ଼ି ହୋଇ ପଡ଼ିଥିଲା। ଏହି ସମୟରେ ଘର ଭିତରେ ଶୋଇଥିବା ପକ୍ଷାଘାତ ରୋଗୀ ଶାବି ନାୟକଙ୍କ ଉପରେ ଏକ ବିରାଟ କଙ୍କ୍ରିଟ୍ ଖଣ୍ଡ ଖସିପଡ଼ିବାରୁ ସେ ଆହତ ହୋଇଛନ୍ତି। ସେହିପରି ନିକଟରେ ଥିବା ତ୍ରିନାଥ ମନ୍ଦିର ପାଖରେ ଶୋଇଥିବା ବାଙ୍ଗା ନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସୌଭାଗ୍ୟବଶତଃ, କାର୍ଟି ସମ୍ପୂର୍ଣ୍ଣ ଭାବେ ଘର ଭିତରକୁ ପଶି ନଯାଇ ଏକପାଖିଆ ହୋଇ ରହିଯିବାରୁ ଅନେକ ଜୀବନ ବଞ୍ଚିଯାଇଛି। ଦୁର୍ଘଟଣା ଯୋଗୁଁ ଅଞ୍ଚଳରେ ବିଦ୍ୟୁତ୍ ତାର ଛିଣ୍ଡିଯିବା ସହ ଦୁଇଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କାର୍ ଚାଳକ ଜଣକ ନିଶାସକ୍ତ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।



