ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିର୍ଦ୍ଧାରିତ ସମୟରେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ସେ ପହଞ୍ଚିଥିଲେ। ବିମାନ ବନ୍ଦରରେ ରାଜ୍ୟପାଳ ଡ ହରିବାବୁ କୁମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବରିଷ୍ଠ ଅଧିକାରୀଗଣ ତାଙ୍କୁ ସ୍ବାଗତ କରିଥିଲେ। ଆଜି ରାଷ୍ଟ୍ରପତି ଲୋକଭବନରେ ରାତ୍ରିଯାପନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ସ୍ବତନ୍ତ୍ର ହେଲିକାପ୍ଟରରେ ଯାଜପୁର ଗସ୍ତ କରିବେ। ସେଠାରେ ସେ ମା ବିରଜାଙ୍କୁ ଦର୍ଶନ କରିବା ସହିତ ସ୍ବତନ୍ତ୍ର ପୂଜା କରିବେ। ରାଷ୍ଟ୍ରପତି ମନ୍ଦିରରେ ପ୍ରାୟ ଦେଢ ଘଣ୍ଟା ଧରି ରହିବେ ବୋଲି ଜଣାପଡିଛି। ଏହାପରେ ସେ ସେଠାରୁ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଠାରୁ ଅପରାହ୍ନରେ ରାଷ୍ଟ୍ରପତି ପୁରୀ ଯିବେ। ସେଠାରେ ସେ ମହାପ୍ରଭୃଙ୍କୁ ଦର୍ଶନ କରିବା ସହିତ ପିଣ୍ଡ ଦାନ କରି ପୁରୀ ଲୋକଭବନରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଚାରି ତାରିଖ ସକାଳୁ ରାଷ୍ଟ୍ରପତି ରାଇରଂଗପୁର ଗସ୍ତ କରିବେ। ସେଠାରେ ସେ ପୂର୍ବାହ୍ନରେ ମହୁଲଡିହାସ୍ଥିତ ହଲିଡେ ହୋମ୍‌ର ‌ଉଦ୍‌ଘାଟନ କରିବେ। ସେହିପରି ରାଇରାଙ୍ଗପୁର ମହୁଲଡିହାସ୍ଥିତ ସରକାରୀ ବା‌ଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜବୀର ସୁନାରାମ ସୋରେନ୍‌ଙ୍କ ପ୍ରତିମୂର୍ତ୍ତି ‌‌ଉନ୍ମୋଚନ କରିବେ। ସେଠାରେ କ୍ରୀଡ଼ା କମ୍ପ୍ଲେକ୍ସ ଲୋକାର୍ପଣ ସହ ଭର୍ଚୁଆଲ୍‌ ମାଧ୍ୟମରେ ରାଜ୍ୟର ଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ। ମୟୁରଭଂଜରେ ରାଷ୍ଟ୍ରପତି ତିନିଦିନ ଧରି ରହିବେ। ପାଞ୍ଚ ତାରିଖରେ ମଧ୍ୟ ରାଷ୍ଟ୍ରପତିଙ୍କର ରାଇରଂଗପୁରରେ ବିଭିନ୍ନ କାର୍ଯ୍ୟକ୍ରମାନ ରହିଛି। ଏହାପରେ ଛଅ ତାରିଖରେ ରାଷ୍ଟ୍ରପତି ଅନ୍ୟ କାର୍ଯ୍ୟକ୍ରମ ପରେ ସେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରରେ ହୋଟେଲ ମେ ଫେୟାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଭୁବନେଶ୍ବର ଲୋକଭବନରେ ରାତ୍ରିଯାପନ କରିବା ପରେ ସାତ ତାରିଖ ସକାଳୁ ସେ ଛତିଶଗଡ ଯିବେ।

Related Articles

Leave a Reply

Your email address will not be published. Required fields are marked *

Back to top button