ଆସନ୍ତାକାଲି ଯାଜପୁରରେ ୪୮ଟି ସ୍କୁଲ ଛୁଟି

ଭୁବନେଶ୍ବର: କାଲି ଯାଜପୁରରେ ୪୮ଟି ସ୍କୁଲ ଛୁଟି। ଯାଜପୁର ସହର ଓ ସଂଲଗ୍ନ ଅଞ୍ଚଳର ସମସ୍ତ ସ୍କୁଲ ଛୁଟି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସ୍କୁଲ ଛୁଟି ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦୋଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ବିଇଓ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିବେ। ଏହା ପରେ ଆସନ୍ତାକାଲି ସକାଳେ ମା’ ବିରାଜା ମନ୍ଦିର ଦର୍ଶନ ପାଇଁ ଯାଜପୁର ଯିବେ। ନାଭିଗୟାରେ ତାଙ୍କ ପୂର୍ବପୁରୁଷମାନଙ୍କୁ ରାଷ୍ଟ୍ରପତି ‘ପିଣ୍ଡାଦାନ’ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତା’ପରେ ଯାଜପୁରରୁ ବାଲେଶ୍ୱର ଗସ୍ତ କରିବେ। ସେଠାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ମହାମହିମ ସନ୍ଧ୍ୟାରେ ବାଲେଶ୍ୱରରୁ ପୁରୀ ଆସି ଲୋକ ଭବନରେ ରାତ୍ରୀଯାପନ କରିବେ। ଫେବୃଆରୀ ୪ ତାରିଖ ସକାଳେ, ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପରେ, ସେ ଶ୍ୱେତଗଙ୍ଗା ପୁଷ୍କରିଣୀରେ ପ୍ରାର୍ଥନା କରିବେ। ଫେବୃଆରୀ ୬ ତାରିଖରେ ରାଷ୍ଟ୍ରପତିଙ୍କ ଜନ୍ମସ୍ଥାନ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ପରେ, ସେ ସିମିଳିପାଳ ଯିବେ ଏବଂ ସେଠାରେ ରାତ୍ରୀଯାପନ କରିବେ। ଏହା ପରେ ରାଷ୍ଟ୍ରପତି ଫେବୃଆରୀ ୭ ତାରିଖ ସକାଳ ୯:୧୦ ରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଛତିଶଗଡ଼ର ଜଗଦଲପୁର ଯିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।



