ଭୁବନେଶ୍ବର ଏକ ନମ୍ବର ହାଟରେ ପୁଣି ଲାଗିଲା ନିଆଁ, ବହୁ ଦୋକାନ ଜଳିପୋଡି ଛାରଖାର

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବରର ଏକ ନମ୍ବର ହାଟରେ ନିଆଁ ଲାଗିଛି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଏକ ଦୋକାନରେ ନିଆଁ ଲାଗିଥିଲା। ଏହାପରେ ଏହା ଚାରିଆଡେ ବ୍ୟାପି ଯାଇଥିଲା। ଫଳରେ ପ୍ରାୟ ଚାଳିଶ ଦୋକାନ ପୋଡି ଛାରଖାର ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳବାହିନୀ ସହ ସେଣ୍ଟ୍ରାଲ୍ ଷ୍ଟ୍ରାଇକ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ଘଟଣାରୁ ଜଣାପଡିଛି ଯେ, ଏକ ପ୍ଲାଷ୍ଟିକ ଦୋକାନରେ ପ୍ରଥମେ ନିଆଁ ଲାଗିଯାଇଥିଲା। ଏହାପରେ ଦୋକାନର ବିଭିନ୍ନ ପଲିଥିନ ଛାତକୁ ଧରିଥିଲା। ଫଳରେ ଏହି ନିଆଁ ପ୍ରବଳ ମାତ୍ରାରେ ବ୍ୟାପିବାରେ ଲାଗିଥିଲେ। ପାଖରେ ଥିବା କ୍ୟାପିଟାଲ ଥାନା ଅଧିକାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ସାହାଯ୍ୟ କରିଥିଲେ। ଏହାପରେ ବିଏମସି କମିଶନର ଚଞ୍ଚଳ ରଣା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ହାଟର ବ୍ୟବସାୟୀମାନେ ପ୍ଲାଷ୍ଟିକ ବହୁଳ ମାତ୍ରରେ ବ୍ୟବହାର କରୁଛନ୍ତି। ଆଉ କିଛି ବ୍ୟବସାୟୀ ପାଲ ପକାଇ ରାସ୍ତାକୁ ସଙ୍କୁଚିତ କରିଦେଇଛନ୍ତି । ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଏସଆରସି ପକ୍ଷରୁ ସ୍ୱୀକୃତି ମିଳିଛି। ଏନେଇ DPR ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ଦିଆଯାଇଥିଲା। ପ୍ରାୟ ୨୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି ଏସଆରସି।



