‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

ନୂଆଦିଲ୍ଲୀ: ଭାରତ ସରକାର ସାରା ଦେଶରେ ମହିଳା ଏବଂ ଶିଶୁଙ୍କ କଲ୍ୟାଣ, ସୁରକ୍ଷା ଏବଂ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଥାନ୍ତି। ଏହି ଲକ୍ଷ୍ୟରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମନ୍ୱିତ କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର୍) ଓ ସହଭାଗୀତା ପାଇଁ ଡିଜିଟାଲ୍ ପୋର୍ଟାଲ୍ ‘ପଙ୍ଖୁଡ଼ି’ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ମହିଳା ଓ ଶିଶୁ କଲ୍ୟାଣ ସମ୍ପର୍କିତ ପଦକ୍ଷେପରେ ସମନ୍ୱୟ, ସ୍ୱଚ୍ଛତା ଏବଂ ହିତାଧିକାରୀଙ୍କ ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରାଯିବ। କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ମହିଳା ଏବଂ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ସଚିବ ଅନିଲ ମଲିକଙ୍କ ଉପସ୍ଥିତିରେ ପଙ୍ଖୁଡ଼ି ପୋର୍ଟାଲ୍ କୁ ଉନ୍ମୋଚନ କରିଛନ୍ତି। ଏହି ପ୍ରୟାସ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ପ୍ରେରଣା ଆଧାରରେ ସୃଷ୍ଟି ହୋଇଛି। ସ୍ୱଚ୍ଛତା, ଅଂଶଗ୍ରହଣ ଏବଂ ଭରସାକୁ ସକ୍ଷମ କରି ସରକାର ଏବଂ ନାଗରିକଙ୍କ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ଏକ ସେତୁ ଭାବରେ କାର୍ଯ୍ୟ କରେ ଏବଂ ଜନ ଭାଗୀଦାରୀ (ଲୋକମାନଙ୍କର ଅଂଶଗ୍ରହଣ) ପ୍ରଭାବଶାଳୀ ରାଷ୍ଟ୍ର ନିର୍ମାଣର କେନ୍ଦ୍ରବିନ୍ଦୁ ହୋଇଥାଏ ବୋଲି ଶ୍ରୀ ମୋଦୀ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି। ପଙ୍ଖୁଡ଼ି ଏକ ଡିଜିଟାଲ୍ ପ୍ଲାଟଫର୍ମ ସୃଷ୍ଟି କରି ଏହି ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ଯାହା ସରକାର, ନାଗରିକ ଏବଂ ଅନୁଷ୍ଠାନଗୁଡ଼ିକୁ ସାମାଜିକ ବିକାଶ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଏକାଠି କରିଥାଏ। ପଙ୍ଖୁଡ଼ିକୁ ଏକ ସିଙ୍ଗଲ୍-ୱିଣ୍ଡୋ ଡିଜିଟାଲ୍ ପ୍ଲାଟଫର୍ମ ଭାବରେ ବିକଶିତ କରାଯାଇଛି ଯାହା ବ୍ୟକ୍ତି, ପ୍ରବାସୀ ଭାରତୀୟ (ଏନଆରଆଇ), ଅଣ-ସରକାରୀ ସଂଗଠନ (ଏନଜିଓ), କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ଅବଦାନକାରୀ, କର୍ପୋରେଟ୍ ସଂସ୍ଥା ସମୂହ ଏବଂ ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସରକାରୀ ସଂସ୍ଥାଗୁଡ଼ିକୁ ଏକାଠି କରିଥାଏ। ଏହି ପୋର୍ଟାଲ୍ ପୁଷ୍ଟି, ସ୍ୱାସ୍ଥ୍ୟ, ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷା (ଇସିସିଇ), ଶିଶୁ କଲ୍ୟାଣ, ସୁରକ୍ଷା ଏବଂ ପୁନର୍ବାସ, ଏବଂ ମହିଳା ସୁରକ୍ଷା ଏବଂ ସଶକ୍ତିକରଣ ସମେତ ପ୍ରମୁଖ ବିଷୟଗତ କ୍ଷେତ୍ରଗୁଡ଼ିକରେ ସ୍ୱେଚ୍ଛାକୃତ ଏବଂ ସଂସ୍ଥାଗତ ଅବଦାନକୁ ସୁଗମ ଏବଂ ଏକୀକୃତ କରିଥାଏ। ଏହି ପୋର୍ଟାଲ୍ ସିଏସଆର୍ ଏବଂ ସ୍ୱେଚ୍ଛାକୃତ ଅବଦାନ ପାଇଁ ଏକ ସାଧାରଣ ଡିଜିଟାଲ ଇଣ୍ଟରଫେସ୍ ପ୍ରଦାନ କରି ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟକୁ ବୃଦ୍ଧି କରେ, ଏବଂ ମହିଳା ଓ ଶିଶୁଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ପଦକ୍ଷେପଗୁଡ଼ିକର ଉନ୍ନତ କାର୍ଯ୍ୟାନ୍ୱୟନ, ତଦାରଖ ଏବଂ ଉତ୍ତରଦାୟିତ୍ୱକୁ ସମର୍ଥନ କରେ। ପଙ୍ଖୁଡ଼ି ଏକ ସଂରଚିତ ଏବଂ ସ୍ୱଚ୍ଛ ଡିଜିଟାଲ ପଦ୍ଧତି ମାଧ୍ୟମରେ ମନ୍ତ୍ରଣାଳୟର ପ୍ରମୁଖ ମିଶନଗୁଡିକ, ଯଥା : ମିଶନ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦, ମିଶନ ବାତ୍ସଲ୍ୟ ଏବଂ ମିଶନ ଶକ୍ତିର କାର୍ଯ୍ୟକାରୀତାକୁ ସମର୍ଥନ ଏବଂ ସୁଦୃଢ଼ ​​କରେ। ଅବଦାନକାରୀମାନେ ପୋର୍ଟାଲରେ ପଞ୍ଜୀକରଣ କରନ୍ତି, ପଦକ୍ଷେପଗୁଡ଼ିକୁ ଚିହ୍ନଟ କରନ୍ତି, ପ୍ରସ୍ତାବ ଦାଖଲ କରନ୍ତି ଏବଂ ସ୍ପଷ୍ଟ ଭାବରେ ପରିଭାଷିତ ଅନୁମୋଦନ କାର୍ଯ୍ୟପ୍ରବାହ ମାଧ୍ୟମରେ ସେମାନଙ୍କର ଅବଦାନର ସ୍ଥିତି ଟ୍ରାକ୍ କରନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button