ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬’ର ଉନ୍ମୋଚନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ଆଜି ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬ର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଡଃ ମୁରୁଗନ କହିଛନ୍ତି ଯେ ଏହି କ୍ୟାଲେଣ୍ଡର କେବଳ ଦିନ ଓ ମାସର ଏକ ବାର୍ଷିକ ପ୍ରକାଶନ ନୁହେଁ, ବରଂ ଏହା ଭାରତ ରୁପାନ୍ତରଣର ଯାତ୍ରା। ସରକାରଙ୍କ ପ୍ରାଥମିକତାର ରେଖାଙ୍କନ ସହ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ ଦିଗରେ ଏହା ଆମର ମିଳିତ ଅଙ୍ଗୀକାରକୁ ଦର୍ଶାଏ। କ୍ୟାଲେଣ୍ଡରର ବିଷୟ “ଭାରତ@୨୦୨୬: ସେବା, ସୁଶାସନ ଏବଂ ସମୃଦ୍ଧି” ଏପରି ଏକ ଭାରତର ଚିତ୍ର ପ୍ରଦାନ କରେ ଯିଏକି ନିଜର ପରିଚୟ ପ୍ରତି ସୁରକ୍ଷିତ, ଯାହାର ଅନୁଷ୍ଠାନଗୁଡ଼ିକ ସୁଦୃଢ ଓ ଯିଏ ନିଜ ଦୀର୍ଘକାଳୀନ ଲକ୍ଷ୍ୟକୁ ନେଇ ସ୍ପଷ୍ଟ ଦୃଷ୍ଟିକୋଣ ରଖେ। ଡକ୍ଟର ମୁରୁଗନ କହିଛନ୍ତି ଯେ ଏହି କ୍ୟାଲେଣ୍ଡର ଦେଶର ଆତ୍ମବିଶ୍ୱାସ ଭାବନାକୁ ପ୍ରତିଫଳିତ କରେ, ଯାହା ଲୋକ-କୈନ୍ଦ୍ରିକ ଶାସନ, ଦୃଢ଼ ସେବା ପ୍ରଦାନ ଏବଂ ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ଏବଂ ନାଗରିକ ଏବଂ ସରକାରଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଥିବା ସଂସ୍କାର ଉପରେ ଆଧାରିତ। ୨୦୨୫ ମସିହାରେ ନିଆଯାଇଥିବା ପ୍ରମୁଖ ସଂସ୍କାର ବିଷୟରେ ଉଲ୍ଲେଖ କରି ଡକ୍ଟର ମୁରୁଗାନ କହିଛନ୍ତି ଯେ ଢାଞ୍ଚାଗତ ପଦକ୍ଷେପଗୁଡ଼ିକ ଭାରତର ଅର୍ଥନୈତିକ ସହନଶୀଳତାକୁ ସୁଦୃଢ କରିଛି ଏବଂ ଅଭିବୃଦ୍ଧିର ଲାଭ ସମାଜର ପ୍ରତ୍ୟେକ ବର୍ଗରେ ପହଞ୍ଚିବା ନିଶ୍ଚିତ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ ନୂତନ ଟିକସ ବ୍ୟବସ୍ଥା ଅଧୀନରେ ଟିକସ ରିହାତି, ଜିଏସଟି ୨.୦ର ସରଳୀକରଣ, ଚାରୋଟି ଶ୍ରମ ଆଇନର କାର୍ଯ୍ୟାନ୍ୱୟନ ଏବଂ କେନ୍ଦ୍ରିତ ନିଯୁକ୍ତି ସୃଷ୍ଟି ଆଦି ପଦକ୍ଷେପ ଉତ୍ପାଦକତା, ଜୀବନଧାରଣର ସହଜତା ଏବଂ ସମାବେଶୀମୂଳକ ସମୃଦ୍ଧିକୁ ତ୍ୱରାନ୍ୱିତ କରିଛି।



