ଏନଆଇଟି ରାଉରକେଲାରେ ୨୦୦ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ଭୁବନେଶ୍ବର: ରାଉରକେଲା ଏଆଇଟି ଶିକ୍ଷାନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀମାନେ ନିଜସ୍ୱ ଷ୍ଟାର୍ଟଅପ୍ ମାଧ୍ୟମରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେବାର ସାମର୍ଥ୍ୟ ରଖୁଛନ୍ତି। ଆଗାମୀ ଦିନରେ ସମାଜର ଜଟିଳ ସମସ୍ୟା ଯଥା- ଜଳବାୟୁ ପରିବର୍ତ୍ତନ କିମ୍ବା ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନର ଗବେଷଣା ନୂଆ ଦିଗ ଦେଖାଇବ। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ଏବଂ ଏନଆଇଟିର ମିଳିତ ସହଯୋଗରେ ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଆଜି ଏନଆଇଟି କ୍ୟାମ୍ପସ ପରିସରରେ ୩୫ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି। ଏହି ପରିସରରେ ବ୍ୟାଡମିଣ୍ଟନ କୋର୍ଟ ବିଶିଷ୍ଟ ବହମୁଖୀ ସଭାଗୃହ, ଓପନ ଏୟାର ଥିଏଟର ଏବଂ ଆନୁଷଙ୍ଗିକ ସୁବିଧା ରହିଛି। ସେହିପରି ୯୧.୧୮ କୋଟି ଟଙ୍କା ବ୍ୟୟରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ନୂତନ ଭବନ, ୫୫.୩୫ କୋଟି ଟଙ୍କା ବ୍ୟୟରେ ୫୦୦ ଶଯ୍ୟା ବିଶିଷ୍ଟ  ଛାତ୍ରୀନିବାସ,  ୩୩.୫୧ କୋଟି ଟଙ୍କା ବ୍ୟୟରେ ଅତିଥି ଭବନ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ। ଶ୍ରୀ ପ୍ରଧାନ କହିଥିଲେ ଲୋକାର୍ପିତ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ଛାତ୍ରଛାତ୍ରୀମାନଙ୍କୁ କେବଳ କ୍ରୀଡ଼ା କ୍ଷେତ୍ରରେ ନୁହେଁ, ବରଂ ସୃଜନଶୀଳ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ନୂତନ ଶିଖରରେ ପହଞ୍ଚାଇବାରେ ସାହାଯ୍ୟ କରିବ। ସେହିପରି ଶିଳାନ୍ୟାସ ହୋଇଥିବା ନୂତନ ସୁବିଧା ସୁଯୋଗଗୁଡ଼ିକ ଦ୍ୱାରା ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଉପକୃତ ହେବେ ଏବଂ ଏନଆଇଟି ରାଉରକେଲାର ପରିଚୟ ସୁଦୂରପ୍ରସାର ହେବ। ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଉରକେଲା କେବଳ ଏକ ସହର ନୁହେଁ ବରଂ ଲୋକଙ୍କ ଭାବାବେଗ ସହ ଜଡ଼ିତ। ଓଡ଼ିଶା ତଥା ଦେଶର ଶିଳ୍ପ ଏବଂ ଶିକ୍ଷାର ଏକ ପ୍ରମୁଖ ସ୍ତମ୍ଭ। ଏଠାରେ ସ୍ଥାପିତ ଏନଆଇଟି ଏନଆଇଆରଏଫ ରାଙ୍କିଂରେ ଦେଶର ଶ୍ରେଷ୍ଠ ୧୦୦ ଇଞ୍ଜିନିୟରିଂ ଅନୁଷ୍ଠାନ ମଧ୍ୟରେ ୧୩ତମ ସ୍ଥାନରେ ଅଛି। ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ (ଏଏନଆରଏଫ) ର ପ୍ରତିଷ୍ଠିତ ପେୟାର କାର୍ଯ୍ୟକ୍ରମ ଅଧୀନରେ ଏନଆଇଟି ରାଉରକେଲାକୁ ଦେଶର ୭ଟି ହବ୍ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ ଭାବେ ଚୟନ କରାଯାଇଛି। ଏହି ଅନୁଷ୍ଠାନର ପୁରାତନ ଛାତ୍ର ଦେବେନ୍ଦ୍ର ପ୍ରଧାନ ଏବଂ ବିଶ୍ୱଜିତ୍ ସ୍ୱାଇଁଙ୍କ ଦ୍ୱାରା ପ୍ରତିଷ୍ଠିତ ‘କୋରାଟିଆ ଟେକ୍ନୋଲୋଜି’ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରୁଛି। ଅଣ୍ଡର-ୱାଟର ରୋବୋଟିକ୍ସରେ ବିଶେଷଜ୍ଞତା ହାସଲ କରିଥିବା ଏହି ଷ୍ଟାର୍ଟଅପ୍ ଏମଜିଏଫ କବଚ୍ଚରୁ ୧୭ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହାସଲ କରିଛି। ଏହି କମ୍ପାନୀ ଭାରତୀୟ ନୌସେନାକୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଣ୍ଡର ଓ୍ୱାଟର ରିମୋଟଲି ଅପରେଟେଡ ଭେଇକିଲ (ୟୁଡବ୍ଲୁଆରଓଭି) ଯୋଗାଇବା ପାଇଁ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ପାଇଛି। ଏହି ଉଦାହରଣ ପ୍ରମାଣ କରୁଛି ଯେ ଏନଆଇଟି ରାଉରକେଲା କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଦେଶର ସମସ୍ୟା ସମାଧାନର ଏକ କେନ୍ଦ୍ର ପାଲଟିଛି।

Related Articles

Leave a Reply

Your email address will not be published. Required fields are marked *

Back to top button