ଜନସେବା ଏବଂ ରାଷ୍ଟ୍ରସେବାକୁ ନିଜର ଧର୍ମ ଭାବେ ଗ୍ରହଣ କରିଥିଲେ ସ୍ୱର୍ଗତ ବାଜପେୟୀ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଜପେୟୀଜୀଙ୍କ ସୁଶାସନର ମନ୍ତ୍ର ଏବଂ ମୋଦୀଜୀଙ୍କ ପ୍ରଶାସନିକ ସଂସ୍କାରକୁ ପାଥେୟ କରି ଆମ ୧୮ ମାସର ସରକାର ଓଡିଶାର ସାଢେ ଚାରି କୋଟି ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟରତ ରହିଛି ବୋଲି ଆଜି ସୁଶାସନ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସିଏମ୍ ଡ୍ୟାସବୋର୍ଡ, ଓସ୍ୱାସ୍ ବ୍ୟବସ୍ଥାକୁ ଜିଲ୍ଲା ଓ ବ୍ଲକସ୍ତର ପର୍ଯ୍ୟନ୍ତ ସଂପ୍ରସାରଣ ଏବଂ ଉନ୍ନତମାନର ଚିକିତ୍ସାସେବା ଓ ଜଳଯୋଗାଣ ତଥ୍ୟ ପାଇଁ ଜନସେବାରେ ସମର୍ପିତ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟସ୍ଆପ୍ ଚାଟ୍ବଟ୍’ର ଲୋକାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସିଏମ୍ ଡ୍ୟାସବୋର୍ଡ ଜରିଆରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଗୁଡିକର ରିଅଲ୍ ଟାଇମ୍ ମନିଟରିଙ୍ଗ୍ କରାଯାଇପାରିବ। ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟସ୍ଆପ୍ ଚାଟ୍ବଟ୍’ ଜରିଆରେ ୧୫୦ରୁ ଉର୍ଦ୍ଧ୍ୱ ଜରୁରୀ ସରକାରୀସେବା ଉପଲବ୍ଧ ହେବ ଏବଂ ଓସ୍ୱାସ୍ର ସଂପ୍ରସାରଣ ମାଧ୍ୟମରେ ଏଣିକି ଜିଲ୍ଲା ଓ ବ୍ଲକସ୍ତରରେ ମଧ୍ୟ ସରକାରୀ କାର୍ଯ୍ୟଗୁଡିକ ପେପରଲେସ୍ ହେବ। ଏହା ମାଧ୍ୟମରେ ରାଜ୍ୟରେ ସୁଶାସନର ବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭୁବନେଶ୍ୱର ଓୟୁଏଟି କୃଷିଶିକ୍ଷା ସଦନ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ ପ୍ରବୀଣ ରାଜନୀତିଜ୍ଞ, କବି, ଲେଖକ ଏବଂ ଭାରତୀୟତାର ଦାର୍ଶନିକ। ରାଜନୈତିକ ନୀତି ଓ ଆଦର୍ଶର ସେ ଥିଲେ ଶ୍ରେଷ୍ଠ ବ୍ରାଣ୍ଡ ଆମ୍ବାସଡର। ରାଜନୀତିକୁ କେବେ ହେଲେ ସେ ଏକ ପେସା ଭାବେ ଗ୍ରହଣ କରିନଥିଲେ। ଜନସେବା ଏବଂ ରାଷ୍ଟ୍ରସେବାକୁ ନିଜର ଧର୍ମ ଭାବେ ଗ୍ରହଣ କରି ସାମାଜିକ ଜୀବନରେ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ।



