ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡର କଡା ଆଭିମୁଖ୍ୟ: ପ୍ରଥମ ଥର ପାଇଁ ସବୁ କେନ୍ଦ୍ରରେ ଲାଗିବ ସିସିଟିଭି

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ୨୦୨୬ ମାଟ୍ରିକ ପରୀକ୍ଷାକୁ ଏଥର ଶୁଙ୍ଖଲିତ ଢଙ୍ଗରେ ପରିଚାଳନା କରିବାକୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ବୋର୍ଡ । ବିଶେଷକରି କୌଣସି ପରୀକ୍ଷାର୍ଥୀ ଯେପରି ଆସାଧୁ ଉପାୟ ଅଵଲମ୍ବନ ନକରନ୍ତି ସେଥିପାଇଁ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରିବାକୁ କଡା ନିର୍ଦ୍ଦେଶ ଦେଇଛି ବୋର୍ଡ । ଯେଉଁ କେନ୍ଦ୍ରରେ ସିସିଟିଭି ନଥିବ ସେଠାରେ ବୋର୍ଡ ପକ୍ଷରୁ ସିସିଟିଭି ଲଗାଯିବ । “ଏଥର ୫ ଲକ୍ଷ ୬୦ ହଜାର ୫୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଏବଂ ସମସ୍ତ ୩୦୨୬ଟି ପରୀକ୍ଷା କେନ୍ଦ୍ରରେ ଲାଇଭ୍ ସିସିଟିଭି କ୍ୟାମେରା ଲଗାଯିବ । ଯେଉଁ କେନ୍ଦ୍ରରେ ପୂର୍ବରୁ ସିସିଟିଭି ନାହିଁ, ସେଠାରେ ବୋର୍ଡ ନିଜ ଖର୍ଚ୍ଚରେ ଲାଇଭ୍ ସିସିଟିଭି ବ୍ୟବସ୍ଥା କରିବେ ବୋଲି ସଭାପତି କହିଛନ୍ତି। ଏହି ସମସ୍ତ କ୍ୟାମେରାର ଫିଡ୍ ବୋର୍ଡ଼ କାର୍ଯ୍ୟାଳୟ ସ୍ଥିତ କମାଣ୍ଡ କଣ୍ଟ୍ରୋଲ ରୁମ୍‌ରେ ମନିଟର କରାଯିବ । ପୂର୍ବରୁ କେବଳ ୩୧୩ଟି ନୋଡାଲ ସେଣ୍ଟରରେ ହିଁ ଏହା ଥିଲା,” ବୋଲି କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ବୋର୍ଡ ସଭାପତି ପୁଣି କହିଛନ୍ତି, ଏହା ସହିତ ପ୍ରଶ୍ନପତ୍ର ଲିକ୍ ରୋକିବାକୁ ନୂଆ ବ୍ୟବସ୍ଥା କରାଯାଇଛି । ପ୍ରତିଟି ପ୍ରଶ୍ନପତ୍ରର ପ୍ରତି ପୃଷ୍ଠାରେ ଦୁଇଟି ଲାଇନ୍ ୱାଟରମାର୍କ ରହିବ। ପୃଷ୍ଠାର ତଳୁ ଉପର ପର୍ଯ୍ୟନ୍ତ ଦୁଇଟି ଯାକ ଲାଇନ୍ ଥିବ । ଏହା ଦ୍ୱାରା କୌଣସି ପ୍ରଶ୍ନପତ୍ର ଫଟୋ ଉଠାଇ ଲିକ୍ ହେଲେ ତୁରନ୍ତ ଚିହ୍ନଟ ହୋଇଯିବ ଏବଂ ସେହି କେନ୍ଦ୍ର ଓ ସେଟ୍ ନମ୍ବର ଧରାପଡ଼ିବ।ଗତବର୍ଷ କେବଳ ଗୋଟିଏ ଲାଇନ ଏହି ୱାଟରମାର୍କ ବ୍ୟବସ୍ଥା ଥିଲା । କେବଳ ସେତିକି ନୁହେଁ ବରଂ ବୋର୍ଡ କାର୍ଯ୍ୟାଳୟରୁ ନୋଡାଲ ସେଣ୍ଟରକୁ ଯାଉ ଥିବା ପ୍ରଶ୍ନ ପତ୍ର କଣ୍ଟେନରରେ GPS ଲଗାଯିବ । ସେହିପରି ପରୀକ୍ଷାକୁ ଆହୁରି ଶୃଙ୍ଖଳିତ କରିବାକୁ ପ୍ରତ୍ୟକ ଜିଲ୍ଲପାଳ ମାନଙ୍କୁ ଚିଠି ଲେଖାଯାଇଛି । ବିଶେଷକରି ଜଣେ ଏଡିଏମ୍ ଏବଂ ଜଣେ ଏଡିଓଙ୍କୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେବାକୁ ଜିଲ୍ଲପାଳଙ୍କୁ ଚିଠି ଲେଖା ଯାଇଛି । ସେହିପରି ମାଓ ଅଞ୍ଚଳ ଏବଂ ଜେଲରେ କଏଦୀ ମାନେ କିପରି ପରୀକ୍ଷା ଦେବେ ସେନେଇ ମଧ୍ୟ କଡା ପଦକ୍ଷେପ ଗ୍ରହଣ କରିଛି ବୋର୍ଡ । ତେବେ ସମସ୍ତ ଅବିଭାବକ ମାନଙ୍କୁ ସହାୟତା କରିବାକୁ ସଭାପତି ନିବେଦନ କରିଛନ୍ତି । ମାଟ୍ରିକ ପରୀକ୍ଷା ଆସନ୍ତା ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ବୋଲି କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।

Related Articles

Leave a Reply

Your email address will not be published. Required fields are marked *

Back to top button