କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: କିଟ୍ ପରିସରରେ ଥିବା ଛାତ୍ରାବାସରୁ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ଛତିଶଗଡ଼ର ରାହୁଲ ଯାଦବ । ସେ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଥମ ବର୍ଷର ଛାତ୍ର ଅଟନ୍ତି । ଇନଫୋସିଟି ଥାନା ପୋଲିସ ଶବକୁ ଜବତ କରି ଶବଗୃହରେ ରଖିଛି । ଏ ନେଇ ଏସିପି ସୋନାଲ୍ ସିଂ ପରମାର ସୂଚନା ଦେଇଛନ୍ତି । ଛତିଶଗଡ଼ ରାହୁଲ କିଟରେ ପଢ଼ୁଥିଲେ । ଗତକାଲି ବିଳମ୍ବିତ ରାତିରେ ଅନ୍ୟ ରୁମର ପିଲାମାନେ ରାହୁଲଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ହଷ୍ଟେଲ୍ କର୍ତ୍ତୃପକ୍ଷ ଇନଫୋସିଟି ଥାନା ପୋଲିସକୁ ସୂଚନା ଦେଇଥିଲେ । ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମୃତ ଦେହ ମିଳିଛି । ଏ ନେଇ ପୋଲିସ ତାଙ୍କ ପରିବାରକୁ ସୂଚନା ଦେଇଛି । ସେମାନେ ଏବେ ଓଡ଼ିଶା ଆସୁଛନ୍ତି । ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ଉକ୍ତ ରୁମକୁ ସିଲ୍ କରିଛି । ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ତେବେ କିଟ୍ ଛାତ୍ର ମୃତ୍ୟୁ ଘଟଣା ଦିନିକୁ ଦିନ ବଢ଼ିବାରେ ଲାଗିଛି । ବର୍ଷକ ମଧ୍ୟରେ ବିଶ୍ୱବିଦ୍ୟାଳୟର ୩ ଛାତ୍ରଛାତ୍ରୀ ଜୀବନ ହାରିଲେଣି । ଚଳିତ ବର୍ଷ ଫେବୃୟାରୀ ୧୬ରେ ଜଣେ ନେପାଳୀ ଛାତ୍ରୀ ପ୍ରଥମେ ଜୀବନ ହାରିଥିଲେ । ଏହା ପରେ ମେ ୧ରେ ଆଉ ଜଣେ ନେପାଳୀ ଛାତ୍ରୀ ମଧ୍ୟ ଜୀବନ ହାରିଥିଲେ । ଏବେ ଡିସେମ୍ବର ୧ ରେ ଆଉ ଜଣେ ଛାତ୍ର ପ୍ରାଣ ହାରିଛନ୍ତି । ନେପାଳୀ ଛାତ୍ରୀ ମୃତ୍ୟୁ ପରେ ସମସ୍ତ ନେପାଳୀ ଛାତ୍ରଙ୍କୁ ତଡ଼ି ଦେଇଥିଲେ କର୍ତ୍ତୃପକ୍ଷ । ଯେଉଁଥିପାଇଁ ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହେବାକୁ ପଡ଼ିଥିଲା । ଜାତୀୟ ମାନବାଧିକାର ଆୟୋଗ ଏଥିରେ ହସ୍ତକ୍ଷେପ କରିଥିଲେ ।



