ମାଇକ୍ରୋସଫ୍ଟ କର୍ପର ନୂଆ ଅଧ୍ୟକ୍ଷ ସତ୍ୟ ନାଡେଲା

ୱାଶିଂଟନ୍: ବିଶ୍ବର ପ୍ରମୁଖ ସଫ୍ଟୱେୟାର୍ କମ୍ପାନୀ ମାଇକ୍ରୋସଫ୍ଟ କର୍ପ ବୁଧବାର କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟ କରୁଥିବା ସତ୍ୟ ନାଡେଲାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ତାଙ୍କୁ ଜନ୍ ଥମ୍ପସନଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଗତ ୨୦୧୪ଠାରୁ ନାଡେଲା କମ୍ପାନୀର ସିଇଓ ଭାବେ କାର୍ଯ୍ୟ କରିଆସିଛନ୍ତି। ସେତେବେଳେ ନାଡେଲାଙ୍କୁ ଷ୍ଟିଭ୍ ବାଲମେରଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା। ଏହା ପରଠାରୁ ମାଇକ୍ରୋସଫ୍ଟକୁ ସଫଳତାର ଏକ ନୂଆ ପାହାଚରେ ପହଞ୍ଚାଇବାରେ ନାଡେଲା ମୁଖ୍ୟ ଭୂମିକା ଗ୍ରହଣ କରିଆସିଛନ୍ତି। ବିଶେଷକରି ଲିଙ୍କଡଇନ୍, ନୂଆନ୍ସ କମ୍ୟୁନିକେସନ୍ସ ଓ ଜେନିମ୍ୟାକ୍ସ ଆଦି କମ୍ପାନୀ ସହ ବିଲିଅନ୍ ଡଲାରରୁ ଊର୍ଦ୍ଧ୍ବ ମୂଲ୍ୟର ଚୁକ୍ତିନାମା ସ୍ବାକ୍ଷର କରିବା ଅନ୍ୟତମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଗତ ୨୦୧୪ରେ କମ୍ପାନୀର ଅନ୍ୟତମ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଅଧ୍ୟକ୍ଷ ପଦରୁ ଅବସର ନେବା ପରେ ଥମ୍ପସନଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା। ଏବେ ଥମ୍ପସନ୍ କମ୍ପାନୀର ପ୍ରମୁଖ ସ୍ବାଧୀନ ନିର୍ଦେଶକ ଭାବେ କାର୍ଯ୍ୟ କରିବେ ବୋଲି ମାଇକ୍ରୋସଫ୍ଟ କର୍ପ୍ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଗତ ବର୍ଷ ଗେଟ୍ସ କମ୍ପାନୀର ନିର୍ଦେଶକ ମଣ୍ଡଳୀରୁ ବି ଓହରିଯିବା ପରେ ପ୍ରଥମ ଥର ପାଇଁ ମାଇକ୍ରେସଫ୍ଟ କମ୍ପାନୀରେ ଉଚ୍ଚ ପଦାଧିକାରୀ ପଦରେ ଅଦଳବଦଳ ହୋଇଛି।

ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ ମିଳିତ ଭାବେ ବିଲ୍ ଏଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ପ୍ରତିଷ୍ଠା କରିଥିବା ବେଳେ ଏହା ବିଶ୍ବର ଅନ୍ୟତମ ଦାତବ୍ୟ ଅନୁଷ୍ଠାନ। ଏହି ଅନୁଷ୍ଠାନ ପାଇଁ ଅଧିକ ସମୟ ଦେବା ସକାଶେ ବିଲ୍ ମାଇକ୍ରୋସଫ୍ଟ କମ୍ପାନୀର ନିର୍ଦେଶକ ମଣ୍ଡଳୀରୁ ଓହରି ଆସିଥିଲେ। ଗତ ମାସରେ କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଥିଲା ଯେ ୨୦ ବର୍ଷ ତଳେ ବିଲ୍ କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିବା ନେଇ ଅଭିଯୋଗ ଆସିବା ପରେ ଏହା ଉପରେ ଗତ ୨୦୧୯ରେ ତଦନ୍ତ ହୋଇପାରିଥାନ୍ତା। ଏହି ଅଭିଯୋଗ ପରିପ୍ରେକ୍ଷୀରେ ତାଙ୍କୁ ନିର୍ଦେଶକ ମଣ୍ଡଳୀରୁ ବିତାଡ଼ିତ କରାଯାଇଛି କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରେ ମାଇକ୍ରୋସଫ୍ଟ ପକ୍ଷରୁ ଏନେଇ କିଛି ବି କୁହାଯାଇନାହିଁ। ସେହିପରି କମ୍ପାନୀ ପକ୍ଷରୁ ତ୍ରୈମାସିକ ଫଳାଫଳ ଘୋଷଣା କରାଯିବା ଅବସରରେ ଶେୟାର୍ ପିଛା ୫୬ ପ୍ରତିଶତ ଡିଭିଡେଣ୍ଡ୍ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ଯେଉଁମାନେ କମ୍ପାନୀର ଶେୟାର୍ ଖରିଦ୍ କରିବେ, ସେମାନଙ୍କୁ ଏହି ଡିଭିଡେଣ୍ଡ୍ ମିଳିବ। ଏହା ପୂର୍ବରୁ କମ୍ପାନୀ ସହ ଜଡ଼ିତ ଶେୟାଧାରକମାନେ ମଧ୍ୟ ଏହି ଡିଭିଡେଣ୍ଟର ଫାଇଦା ପାଇବେ ବୋଲି ମାଇକ୍ରୋସଫ୍ଟ କର୍ପ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button