ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରାଜ୍ୟ ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରିତାକୁ ଆଉ ଗୋଟିଏ ପାଦ ଆଗକୁ ନେଇ ଆଜି ଲୋକସେବା ଭବନ ଠାରେ ଏହି ଯୋଜନାର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଲୋଗୋକୁ ଉନ୍ମୋଚନ କରି କହିଛନ୍ତି ଯେ ପିଲାଙ୍କୁ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାକୁ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବା ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଉକ୍ତ ବୈଠକର ଆଲୋଚନାରୁ ଜଣାପଡିଛି ଯେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆଗାମୀ ଚାରି ବର୍ଷ, ଅର୍ଥାତ୍ 2025-26 ରୁ 2028-29 ଆର୍ଥିକ ବର୍ଷ ମଧ୍ୟରେ ଏହା ଖର୍ଚ୍ଚ କରାଯିବ । ଏହି ବିଦ୍ୟାଳୟଗୁଡ଼ିକ ଗ୍ରାମପଞ୍ଚାୟତର ଏପରି ଏକ ଗ୍ରାମରେ ସ୍ଥାପିତ କରାଯିବ ଯେଉଁଠାରେ ଅନୁନ୍ୟ ୫ ଏକର ଜମି ଉପଲବ୍ଧ ଥିବା ସହିତ ଯେଉଁଠାକୁ ଗମନାଗମନ ସୁବିଧା ଥିବ। ପଞ୍ଚାୟତର ମଧ୍ୟ ସ୍ଥଳରେ ଅନ୍ୟୁନ ୫ ଏକର ଜମି ଉପଲବ୍ଧ ଥିବା ସର୍ବବୃହତ ଗ୍ରାମକୁ ପ୍ରାଥମିକତା ଦିଆଯିବ ।



