ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ୧୦ ମୃତ, ୩୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଏକ କାରରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୩୦ ଛୁଇଁଛି। ଆହତଙ୍କ ମଧ୍ୟରେ ବି ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ଏନଆଇଏ, ଏନଏସଜି ଟିମ୍ ର ତନାଘନା ଜାରି ରହିଛି। ଏହି ଭୟଙ୍କର ବିସ୍ଫୋରଣ ପରେ ଦିଲ୍ଲୀ ସମେତ ସମଗ୍ର ଏନସିଆର ଏବଂ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି । ବିଶ୍ବ ପ୍ରସିଦ୍ଧ ତୀର୍ଥସ୍ଥଳ ତଥା ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି। ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟଣାର ସମ୍ପୂର୍ଣ୍ଣ ସ୍ଥିତି ପରଖିବା ପାଇଁ ଘଟଣାସ୍ଥଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚିଛନ୍ତି। ତେବେ ତା ପୂର୍ବରୁ ଶାହ କହିଥିଲେ ଯେ, “ଆଜି ସନ୍ଧ୍ୟା ପ୍ରାୟ ୭ଟାରେ, ଦିଲ୍ଲୀର ଲାଲକିଲ୍ଲା ନିକଟରେ ସୁଭାଷ ମାର୍ଗ ଟ୍ରାଫିକ ସିଗନାଲରେ ଏକ ହୁନ୍ଦାଇ i20 କାରରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ କିଛି ପଦଯାତ୍ରୀ ଆହତ ହୋଇଥିଲେ ଏବଂ କିଛି ଯାନବାହନ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ କିଛି ଲୋକ ପ୍ରାଣ ହରାଇଛନ୍ତି। ବିସ୍ଫୋରଣର ସୂଚନା ପାଇବାର ୧୦ ମିନିଟ୍ ମଧ୍ୟରେ, ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଏବଂ ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚର ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଏସଜି ଏବଂ ଏନଆଇଏ ଦଳ, ଏଫଏସଏଲ ସହିତ, ଏବେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି।



