ଏନ୍‌କାଉଣ୍ଟର୍‌ରେ ୬ ମାଓବାଦୀ ନିହତ

ମାଲକାନଗିରି: ନକ୍ସଲ ବିରୋଧୀ ଅଭିଯାନକୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର୍‌ରେ ପ୍ରାଣ ହରାଇଛନ୍ତି ୬ ଜଣ ନକ୍ସଲ। ମାଲକାନଗିରି-ଆନ୍ଧ୍ର ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ମାଓବାଦୀ ଓ ପୋଲିସ୍‌ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ୬ ଜଣ ହାଡ୍‌କୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ୭ ଟି ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ। ଏଥିସହ କୁଲବେଡ଼ା ଜଙ୍ଗଲରେ ପୋଲିସ୍‌ ସହ ମୁହାଁମୁହିଁ ହେବାପରେ ଛତ୍ରଭଙ୍ଗ ଦେଇଛନ୍ତି ନକ୍ସଲ।

ମିଳିଥିବା ସୂଚନା ଅନୁସାରେ, ମାମ୍ପା ଥାନା ଅନ୍ତର୍ଗତ ଦିଗଲିମେଟ୍ଟା ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏଠାରେ ନକ୍ସଲମାନେ ଥିବା ସୂଚନା ମିଳିବା ପରେ ସ୍ୱତନ୍ତ୍ର ମାଓବାଦୀ ନିରୋଧ ଫୋର୍ସ, ଗ୍ରେହାଉଣ୍ଡସ୍‌ ଓ ସ୍ୱତନ୍ତ୍ର କମାଣ୍ଡୋଙ୍କ ପକ୍ଷରୁ ମିଳିତ ଅପରେସନ୍‌ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା। ଆଜି ଭୋର ସମୟରୁ ହିଁ ଏହି ଗୁଳିବିନିମୟ ଆରମ୍ଭ ହୋଇଥିଲା। ପରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ତେବେ ସର୍ଚ୍ଚ ଅପରେସନ ବେଳେ ସେଠାରୁ ବର୍ତ୍ତମାନ ସୁଦ୍ଧା ୬ ଜଣ ନକ୍ସଲଙ୍କ ମୃତଦେହ ଠାବ ହୋଇଥିଲା। ସେହିପରି ଉକ୍ତ ସ୍ଥାନରୁ ଗୋଟିଏ ଏକେ- ୪୭, ଏସ୍‌ଏଲ୍‌ଆର, ୩ଟି ଥ୍ରୀ ନଟ୍‌ ଥ୍ରୀ ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ଏବେ ବି କମ୍ବିଂ ଜାରି ରହିଛି। ଏହି ଏନ୍‌କାଉଣ୍ଟର୍‌ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କେହି ବି ମୃତାହତ ହୋଇନାହାନ୍ତି।

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲବେଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ନେଇ ସୂଚନା ପାଇବା ପରେ ପୁଲିସ୍ ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା। ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍ କରାଯାଇଥିଲା। ଆଜି ସକାଳେ ନକ୍ସଲଙ୍କ ସହିତ ଏହି ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିୟମ ହୋଇଥିଲା। ପ୍ରାୟ ତିନି ଚାରି ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର୍‌ କରିଛନ୍ତି ଏସଥ୍‌ଓଜି ଓ ଡିଭିଏଫ୍ ଯବାନ। ଏଥିରେ ମାଓବାଦୀଙ୍କ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Related Articles

Leave a Reply

Your email address will not be published.

Back to top button