ଏସଆଇ ପରୀକ୍ଷା ଜାଲିଆତି ଘଟଣା: ଜାମିନ ପରେ ଜେଲରୁ ମୁକୁଳିଲେ ୧୧୪ ପରୀକ୍ଷାର୍ଥୀ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ଜାମିନ ପାଇଥିବା ୧୧୪ ଜଣ ଆଶାୟୀ ଛାତ୍ରଛାତ୍ରୀ ଆଜି ଜେଲ୍ ରୁ ମୁକୁଳିଛନ୍ତି । ଏମାନେ ଜାଲିଆତି ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ । ହେଲେ କୋର୍ଟରେ ବିଚାର ସମୟରେ କ୍ରାଇମବ୍ରାଞ୍ଚ ଛାତ୍ରଛାତ୍ରୀଙ୍କ ବିରୋଧରେ ଆବଶ୍ୟକୀୟ ତଥ୍ୟ ପ୍ରମାଣ କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରିପାରିନଥିଲା । ଯେଉଁକାରଣରୁ କୋର୍ଟ ୧୧୪ ଜଣ ଆଶାୟୀ ଛାତ୍ରଛାତ୍ରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ଜେଲରୁ ଜାମିନରେ ବାହାରିଲେ ପୋଲିସ ଏସଆଇ ଆଶାୟୀ ପରୀକ୍ଷାର୍ଥୀ । ସର୍ତ୍ତଗୁଡ଼ିକ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀ ମାନେ ମାମଲାରେ ସମ୍ପୃକ୍ତ ଥିବା କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ। ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଟିମ ଯେଉଁ ସମୟରେ ତଦନ୍ତ ପାଇଁ ଡାକିବେ, ସେହି ସମୟରେ ସେମାନେ ଉପସ୍ଥିତ ରହିବେ । ଏହାସହ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ସର୍ତ୍ତ ରହିଛି । ଏହି ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ରହିଥିବା ସୂଚନା ରହିଛି ।



