ବ୍ରାଜିଲ ରାଷ୍ଟ୍ରପତି ମାସ୍କ ନ ପିନ୍ଧି ଗଣିଲେ ଜରିମାନା

ବ୍ରାସିଲିଆ: କୋରୋନା ବେଳେ ବ୍ରାଜିଲର ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋ ମୁହଁରେ ମାସ୍କ ନ ପିନ୍ଧି ସମର୍ଥକମାନଙ୍କ ସହ ମୋଟରସାଇକଲ ରାଲି କରିଥିବାରୁ ତାଙ୍କ ଉପରେ ୧୦୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୭୩୦୦ ଟଙ୍କାରୁ ଅଧିକ) ଜରିମାନା ଲାଗୁ କରାଯାଇଛି। ବ୍ରାଜିଲରେ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବୋଲସୋନାରୋ ପୁନର୍ବାର ପ୍ରାର୍ଥୀ ହେବେ। ଏଥିପାଇଁ ସେ ଦେଶର ବିଭିନ୍ନ ସ୍ଥାନରେ ରାଲି କରି ଆସୁଛନ୍ତି। ସେହିକ୍ରମରେ ସାଓପୋଲୋରେ ରାଷ୍ଟ୍ରପତିଙ୍କ ନେତୃତ୍ବରେ ‘ଆକ୍ସିଲରେଟ୍ ଫର୍ କ୍ରିସ୍‌’ ରାଲି ଆୟୋଜନ କରାଯାଇଥିଲା। ଏହି ରାଲିରେ ରାଷ୍ଟ୍ରପତି ବୋଲ୍‌ସୋନାରୋ ସମ୍ମୁଖ ଭାଗରେ କାଚ ନ ଥିବା ଏକ ହେଲ୍‌ମେଟ୍‌ ପିନ୍ଧିଥିଲେ। କିନ୍ତୁ ମୁହଁରେ ମାସ୍କ ପିନ୍ଧି ନ ଥିଲେ। ରାଲିରେ ମାସ୍କ ପିନ୍ଧୁ ନ ଥିବାରୁ ସାଓପୋଲୋ ରାଜ୍ୟପାଳ ତଥା ବୋଲସୋନାରୋଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଜୋଆଓ ଡୋରିଆ ତାଙ୍କୁ ଆଗୁଆ ଚେତାବନୀ ଦେଇଥିଲେ। ରାଷ୍ଟ୍ରପତି ରାଜ୍ୟର ନିୟମ ପାଳନ ନ କରିଲେ ତାଙ୍କ ଉପରେ ଜରିମାନା ଲଗାଯିବ ବୋଲି କହିଥିଲେ। ଏହାସତ୍ତ୍ବେ ସେ ଏହି ରାଲିରେ ମାସ୍କ ପିନ୍ଧି ନ ଥିଲେ। କୋରୋନା ମହାମାରୀ ଯୋଗୁ ବିଶ୍ବର ଦ୍ବିତୀୟ ସର୍ବାଧିକ ଲୋକ ବ୍ରାଜିଲରେ ମୃତ୍ୟୁବରଣ କରିଥିଲେ ମଧ୍ୟ ରାଷ୍ଟ୍ରପତି ଲୋକଙ୍କ ଘରେ ରହିବା ଏବଂ ମାସ୍କ ପିନ୍ଧିବା ନୀତିକୁ ସମାଲୋଚନା କରିଆସୁଛନ୍ତି।

 

Related Articles

Leave a Reply

Your email address will not be published.

Back to top button