ବାଲିଯାତ୍ରାରେ ଏଥର ଆକର୍ଷଣ ଜଳକ୍ରୀଡ଼ା ସହ ଲେଜର୍‌ ଲାଇଟ୍‌ ସୋ’

ଭୁବନେଶ୍ବର: ଐତିହାସିକ ବାଲିଯାତ୍ରା ପାଇଁ ଆଗେଇ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ନୂଆ ନୂଆ ଥିମ୍‌ରେ ଭିନ୍ନ ଧରଣର ଆର୍ଟ ହେଉଥିବା ବେଳେ ମହାନଦୀରେ ଚିତ୍ତାକର୍ଷକ ଜଳକ୍ରୀଡ଼ା ଏବଂ ଲେଜର ଲାଇଟ୍‌ ସୋ’ ଦେଖିବାକୁ ମିଳିବ । ବିଶେଷକରି ମହାନଦୀରେ ଜଳକ୍ରୀଡ଼ା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏଥିପାଇଁ ପର୍ଯ୍ୟଟନ ବିଭାଗ ସହ ଆଲୋଚନା ସରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି । ବାଲିଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମହାନଦୀରେ ଜଳକ୍ରୀଡ଼ା ପାଇଁ ସମସ୍ତ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୋଇଂ, କ୍ୟାନୋଂ ଏବଂ କାୟାକିଂ ଭଳି ବିଭିନ୍ନ ଜଳକ୍ରୀଡ଼ା କରି ମଜା ନେଇପାରିବେ ବାଲିଯାତ୍ରାକୁ ଆସୁଥିବା ଦର୍ଶକ । ଏହା ସହ ଭାରତୀୟ ନୌସେନା ପକ୍ଷରୁ ବିଭିନ୍ନ ଦୁଃସାହସିକ ଜଳକ୍ରୀଡ଼ା କରାଯିବାକୁ ଯୋଜନା ରହିଛି। ଏହା ସହ ୧୧ ଓ ୧୨ ତାରିଖରେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍‌ଙ୍କୁ ନେଇ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରିବାକୁ ଯୋଜନା ହୋଇଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏପରି ଯୋଜନା ହେଉଥିବା ବେଳେ ଏଥିପାଇଁ ଜିଲ୍ଲା ପ୍ରଶାସନକୁ ବିଧିବଦ୍ଧ ଭାବେ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ଜଣାପଡ଼ିଛି । ବାଲିଯାତ୍ରାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ଦେଉଥିବା ବେଳେ ୟୁନେସ୍କୋରୁ ଐତିହ୍ୟ ମେଳାର ମାନ୍ୟତା ପ୍ରଦାନ ଦିଗରେ ଅନ୍ୟତମ ପଦକ୍ଷେପ ବୋଲି କୁହାଯାଉଛି । ସେହିପରି ବାଲିଯାତ୍ରାରେ ଅନ୍ୟତମ ଆକର୍ଷଣ ଭାବେ ଚଳିତବର୍ଷ ଚିତ୍ତାକର୍ଷକ ଲେଜର ଲାଇଟ୍‌ ସୋ’ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା ହୋଇଛି । ଏଥିପାଇଁ ବାଲିଯାତ୍ରାରେ ବିଭିନ୍ନ କାର୍ଯ୍ୟ କରୁଥିବା ଆଡ୍‌ଭାଇଟାଇଜିଂ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଗତବର୍ଷ ପରି ମହାନଦୀରେ ଆକର୍ଷଣୀୟ ଲେଜର ଲାଇଟ୍‌ ସୋ’ କରିବାକୁ ଯୋଜନା ହୋଇଥିବା ବେଳେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯାଉଛି । ୮ ଦିନ ହେବାକୁ ଥିବା ବାଲିଯାତ୍ରାରେ ୩ ଦିନ ଲେଜର ଲାଇଟ୍‌ ସୋ’ ପ୍ରଦର୍ଶିତ ହେବ । ମହାନଦୀ ପାଣି ଯେପରି ଏକ ଜୀବନ୍ତ କାନ୍‌ଭାସ୍‌ ଭଳି ଇତିହାସ, ପୁରାଣ ଏବଂ ସଂସ୍କୃତିର ମିଶ୍ରଣରେ ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ଗାଥା ଏହି ସୋ’ ମାଧ୍ୟମରେ ଦେଖିବାକୁ ମିଳିବ । ଏହା ସହ ସାଉଣ୍ଡ୍‌ ଓ ଲାଇଟ୍‌ ମିଶ୍ରିତ ୩-ଡି ଆନିମେଟେଡ୍‌ ବିଷୟବସ୍ତୁର ବିଭିନ୍ନ ପ୍ରଦର୍ଶନ ଦେଖିବାକୁ ମିଳିବ । ଦର୍ଶକ ଦୂରରୁ ଏହି ସୋ’ ଦେଖି ପାରିବା ପାଇଁ ଅତି ଉଚ୍ଚକ୍ଷମତା ସମ୍ପନ୍ନ ପ୍ରୋଜେକଟର୍‌ ଲାଗିବ ବୋଲି ଜଣାପଡ଼ିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button