‘ସ୍ବୟଂ’ ପୋର୍ଟାଲରେ ସାମିଲ ହେଲେ ଓଡ଼ିଆ

ଭୁବନେଶ୍ବର : ଶିକ୍ଷା ମନ୍ତ୍ରଣାଳୟ ଅଧୀନ ‘ସ୍ବୟଂ’ ପୋର୍ଟାଲରେ ଓଡ଼ିଆ ଭାଷାକୁ ସାମିଲ କରାଯାଇଛି। ଓଡ଼ିଆ ସହ ପଞ୍ଜାବୀ ଓ ଆସାମିଜ୍‌ ଭାଷାକୁ ବି ଏଥିରେ ସାମିଲ କରାଯିବା ସହ ଅନୁବାଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ତିନି ଭାଷାକୁ ମିଶାଇ ମୋଟ ୧୧ଟି ଭାଷାରେ ଇଞ୍ଜିନିୟରିଂ ସମେତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିପାରିବେ। ପୂର୍ବରୁ ସାମିଲ ହୋଇଥିବା ୮ଟି ଭାରତୀୟ ଭାଷାରେ ଅଧିକାଂଶ ପାଠ୍ୟ ବିଷୟ ଅନୁବାଦ ସରିଲାଣି। ଆଉ କିଛି ଏବେ ବି ଚାଲୁ ରହିଛି। ସେହି ଦୃଷ୍ଟିରୁ ଦେଖିଲେ ୨୦୨୨-୨୩ ଶିକ୍ଷାବର୍ଷ ବେଳକୁ ଓଡ଼ିଶାର ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ‌ରେ ଶିକ୍ଷା ଗ୍ରହଣ କରିବା ନେଇ ଆଶା ସଞ୍ଚାର ହୋଇଛି।ପୂର୍ବରୁ ୮ଟି ଭାରତୀୟ ଭାଷା ଯଥା ହିନ୍ଦୀ, ତେଲୁଗୁ, ତାମିଲ, ବଙ୍ଗଳା, ହିନ୍ଦୀ, କନ୍ନଡ, ମାଲୟାଲାମ, ଗୁଜୁରାଟୀ ଓ ମରାଠୀରେ ବୈଷୟିକ ଶିକ୍ଷା ପ୍ରଦାନ ପାଇଁ ଏଆଇସିଟିଇ ଅନୁମତି ଦେଇଥିଲା। ତେବେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଓଡ଼ିଆକୁ ଏଥିରୁ ବାଦ୍‌ ଦିଆଯାଇଥିବାରୁ ବିଭିନ୍ନ ମହଲରେ ସ୍ବର ଉଠିଥିଲା। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ସୁବ୍ରତ କୁମାର ପୃଷ୍ଟି କହିଛନ୍ତି ଯେ ଓଡ଼ିଆ ଭାଷା ପାଇଁ ଆଜି ଏକ ଭଲ ଖବର। ଏଣିକି ଓଡ଼ିଆ ଛାତ୍ରଛାତ୍ରୀ ନିଜସ୍ବ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିପାରିବେ। ଏବେ ସମୟ ଆସିଛି ଯୁକ୍ତ୨ ଓ ଯୁକ୍ତ୩ ସ୍ତରରେ ବିଜ୍ଞାନ ଶିକ୍ଷା ଓଡ଼ିଆ ଭାଷାରେ ଦିଆଯାଉ। ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆ ଭାଷାରେ ଆସୁଥିବା ବେଳେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା, ସର୍ବଭାରତୀୟ କର୍ମଚାରୀ ଚୟନ ପରୀକ୍ଷା, ଭାରତୀୟ ରେଳବାଇ ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ଆସୁଛି। ତେଣୁ ଏଦିଗରେ ରାଜ୍ୟ ସରକାର ପ୍ରାଥମିକତା ଦେବା ସହ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନରେ ଇଂରାଜୀ ସହିତ ଓଡ଼ିଆରେ ବୈଷୟିକ ଶିକ୍ଷା ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଜାରି କରନ୍ତୁ।

Related Articles

Leave a Reply

Your email address will not be published.

Back to top button