ଆଜି ଧନତରାସରେ: ଘରକୁ ଆଣନ୍ତୁ ଏହି ସବୁ ଜିନିଷ

ଭୁବନେଶ୍ବର: କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀକୁ ଧନ୍ୱନ୍ତରୀ ତ୍ରୟୋଦଶୀ ବା ‘ଧନତେରାସ୍‌’ ବୋଲି କୁହାଯାଏ। ଦୀପାବଳିର ଦୁଇଦିନ ପୂର୍ବରୁ ଏହାକୁ ପାଳନ କରାଯାଏ। ଏହିଦିନ ସୁନା, ରୁପା କିଣାକିଣିକୁ ଶୁଭ ବୋଲି ବିବେଚନା କରାଯାଏ । ପୌରାଣିକ କାହାଣୀ ଅନୁସାରେ, ସମୁଦ୍ର ମନ୍ଥନ ଶେଷରେ ଦେବବୈଦ୍ୟ ଧନ୍ୱନ୍ତରୀ ଅମୃତ କଳସରେ ପ୍ରକଟ ହୋଇଥିଲେ । ସେ ହିଁ ଦୁନିଆକୁ ଆୟୁର୍ବେଦ ବିଦ୍ୟାର ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିଲେ। ଏହି ପର୍ବ ଦୀପାବଳିର ଦୁଇ ଦିନ ପୂର୍ବରୁ ଆସିଥାଏ। ଏହିଦିନ ଧନର ଦେବତ କୁବେରଙ୍କ ପୂଜାର ମହତ୍ତ୍ୱ ରଖେ। ଅନ୍ୟ ଏକ ମାନ୍ୟତାନୁସାରେ, ଏହିଦିନ ଯମରାଜାଙ୍କଠାରୁ ରାଜା ହିମଙ୍କ ପୁତ୍ରଙ୍କୁ ତାଙ୍କ ପତ୍ନୀ ରକ୍ଷା କରିଥିଲେ। ସେହିପରି ସନ୍ଧ୍ୟାରେ ଧନ୍ୱନ୍ତରୀଙ୍କୁ ଦୀପଦାନ କରିବା ଶୁଭ ବୋଲି କୁହାଯାଇଛି। ଏହାଦ୍ୱାରା ଯମରାଜ ଖୁସି ହୁଅନ୍ତି ଏବଂ ଅକାଳ ମୃତ୍ୟୁରୁ ରକ୍ଷା ମିଳେ। ପ୍ରାଚୀନକାଳରୁ ହିଁ ଧନତେରାସରେ କିଛି ନା କିଛି କିଣିବାର ପରମ୍ପରା ରହିଛି। ଏହିଦିନ କିଣାଯାଉଥିବା ଜିନିଷ ନଷ୍ଟ ହେଉ ନ ଥିବା ବିଶ୍ୱାସ ଅଛି। ଅନେକ ଲୋକ ଏହି ଦିନରେ ସୁନା, ରୁପା ଆଦି କିଣିଥାନ୍ତି। କିଛି ଲୋକ ଝାଡୁ ନିହାତି ଏହିଦିନ କିଣନ୍ତି। ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ରୂପ ଭାବେ ବିବେଚନା କରାଯାଏ। ଏହା ସୁଖ ସହିତ ଖରାପ ଶକ୍ତି ନାଶ କରୁଥିବା ବିଶ୍ୱାସ ଅଛି। ମା’ ଲକ୍ଷ୍ମୀ ସମୃଦ୍ଧି ପ୍ରଦାନ କରନ୍ତି। ଏହିଦିନ ମା’ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ମୂର୍ତ୍ତି କିଣିବା ଦ୍ୱାରା ଘର ଧନଧାନ୍ୟରେ ଭରପୂର ହୋଇଥାଏ। ଏହା ସହିତ ଦକ୍ଷିଣାବର୍ତ୍ତୀ ଶଙ୍ଖ, ରୁଦ୍ରାକ୍ଷ, ଧାର୍ମିକ ପୁସ୍ତକ ଓ ପଦ୍ମମାଳା କିଣିବା ଶୁଭ। ସେହିପରି ଏହିଦିନ ବାସନ କିଣିବା ମଧ୍ୟ ଶୁଭ। ବାସନରେ କିଛି ଶସ୍ୟ, ନଚେତ୍ ଟଙ୍କା ଭରି ଆଣିବା ଦ୍ୱାରା ଘର ସବୁବେଳେ ଧନଧାନ୍ୟରେ ଭରି ରହିଥାଏ ବୋଲି ଏହା ଦର୍ଶାଏ। ଅନ୍ୟପକ୍ଷରେ ଷ୍ଟିଲ୍‌, ଆଲୁମିନିୟମ, ପ୍ଲାଷ୍ଟିକ୍‌, କାଚ ବାସନ କିଣିବା ଅଶୁଭ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button