ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା : ୩ ଅଭିଯୁକ୍ତ ଗିରଫ, ୨ ଫେରାର୍‌

ଭୁବନେଶ୍ବର: ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁର ମେଡିକାଲ କଲେଜରେ ଅଧ୍ୟୟନରତ ଦ୍ୱିତୀୟବର୍ଷର ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଚିହ୍ନଟ ୫ଜଣଙ୍କ ମଧ୍ୟରୁ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି, ୨ ଜଣ ଫେରାର୍ ଅଛନ୍ତି। ସମସ୍ତ ଅଭିଯୁକ୍ତ ମେଡିକାଲ କଲେଜ ସନ୍ନିକଟ ଜଙ୍ଗଲ ଇଲାକାରେ ଅବସ୍ଥିତ ଗ୍ରାମର ବାସିନ୍ଦା। ଗିରଫ ୩ ଅଭିଯୁକ୍ତ ହେଲେ ଆପୁ ବାଉରୀ (୨୧), ଫିରଦୋସ ଶେଖ୍ (୨୩) ଓ ଶେଖ ରିଆଜୁଦ୍ଦିନ (୩୧। ସେମାନଙ୍କଠାରୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ଏସ୍‌ଆଇଟି(ସ୍ପେଶାଲ୍ ଇନ୍‌ଭେଷ୍ଟିଗେସନ୍ ଟିମ୍‌) ମାରାଥନ୍ ଜେରା କରୁଛି। ଅନ୍ୟ ୨ଜଣଙ୍କୁ ଗିରଫ କରିବାକୁ ଜଙ୍ଗଲ ମଧ୍ୟରେ ଡ୍ରୋନ୍ ସହାୟତାରେ ତଲାସୀ ଜାରି ରହିଛି। ଏହି ଘଟଣାରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲା ପ୍ରଶାସନର ଏକ ଦୁଇଜଣିଆ ଟିମ୍ ଦୁର୍ଗାପୁରରେ ପହଞ୍ଚି ପୀଡ଼ିତାଙ୍କ ବାପା-ମାଙ୍କୁ ଦେଖା କରିଛନ୍ତି। ପୀଡ଼ିତା ଓ ତାଙ୍କ ପରିବାର ସହ ଓଡ଼ିଶା ସରକାର ରହିଛନ୍ତି ବୋଲି ଏହି ଟିମ୍ ସାକ୍ଷାତ୍ ସମୟରେ ଆଶ୍ୱସ୍ତ କରିଛନ୍ତି। ଆସାନସୋଲ୍‌ର ଡେପୁଟି ମାଜିଷ୍ଟ୍ରେଟ୍ ରଞ୍ଜନା ରାୟ ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କୁ ମେଡିକାଲ୍‌ରେ ଭେଟିଛନ୍ତି। ଏଥି ସହିତ ସେ କହିଛନ୍ତି, ପୀଡ଼ିତା ପରିବାର ସହିତ ପଶ୍ଚିମବଙ୍ଗ ସରକାର ଅଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ମଳିବ। ସେହିପରି ପୀଡ଼ିତାଙ୍କ ବାପା ଗଣମାଧ୍ୟମ ଆଗରେ ରବିବାର କହିଛନ୍ତି, ମୋ ଝିଅ ଏବେ ଚାଲିପାରୁ ନାହିଁ ଓ ମେଡିକାଲରେ ଚିକିତ୍ସାଧୀନ ଅଛି। ପଶ୍ଚିମବଙ୍ଗରେ ମୋ ଝିଅ ସୁରକ୍ଷିତ ନୁହେଁ। ଝିଅର ସୁରକ୍ଷା ଏବଂ ଉତ୍ତମ ଚିକିତ୍ସା ପାଇଁ ଓଡ଼ିଶା ନେବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ନିବେଦନ କରୁଛି, କାରଣ ତା’ର ଜୀବନ ପ୍ରତି ଏଠାରେ ବିପଦ ଅଛି। ଆସନ୍ତାକାଲି ଜାତୀୟ ମହିଳା କମିଶନର ଏକ ଦଳ ଦୁର୍ଗାପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବ ବୋଲି ସୂଚନା ମିଳିଛି।
ଏଣେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରି ମୁଖ୍ୟମନ୍ତ୍ରୀ ଦରକାର। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ନିରାପଦ ସ୍ଥାନ କରିଦେଇଛନ୍ତି। ଏତଦ୍‌ଭିନ୍ନ ପଶ୍ଚିମବଙ୍ଗରେ ଉତ୍‌କ୍ଷିପ୍ତ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏପରି ଘଟଣା ପ୍ରତିବାଦରେ ଶୋଭାଯାତ୍ରା କରାଯାଇଛି। ଆନ୍ଦୋଳନକାରୀମାନେ ତୁରନ୍ତ ଦୋଷୀଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ପୁଲିସର ସୂଚନା ଅନୁଯାୟୀ ଗତ ଅକ୍ଟୋବର ୧୦ତାରିଖ ରାତି ୮ରୁ ୧୦ଟା ମଧ୍ୟରେ ଏହି ଘଟଣା ଘଟିଥିଲା। କୋଲକାତାରୁ ୧୭୦କିଲୋମିଟର ଦୂର ଦୁର୍ଗାପୁରର ଏକ ଘରୋଇ ମେଡିକାଲ୍ କଲେଜର ଦ୍ୱିତୀୟବର୍ଷର ଛାତ୍ରୀ ତଥା ପୀଡ଼ିତା ତାଙ୍କ ବନ୍ଧୁଙ୍କ ସହିତ ରାତ୍ରୀଭୋଜନ ପାଇଁ ବାହାରକୁ ଯାଇଥିଲେ। କ୍ୟାମ୍ପସ୍ ଗେଟ୍ ପାଖରେ ତିନିଜଣ ଯୁବକ ଠିଆ ହୋଇଥିଲେ। ଯୁବକମାନେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ, ତା’ପରେ ତାଙ୍କୁ କ୍ୟାମ୍ପସ୍ ଗେଟ୍ ସମ୍ମୁଖ ଜଙ୍ଗଲକୁ କେଶ ଧରି ଟାଣି ନେଇଥିଲେ। ତିନିଜଣ ତାଙ୍କୁ ଦୁଷ୍କର୍ମ କରିଥିଲେ। ତାଙ୍କ ବନ୍ଧୁ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଅଭିଯୁକ୍ତମାନେ ପୀଡ଼ିତାଙ୍କ ମୋବାଇଲ୍ ଫୋନ୍ ନେଇଯାଇଥିଲେ। ସେମାନେ ମୋବାଇଲ୍ ଫୋନ୍ ବ୍ୟବହାର କରି ତାଙ୍କ ବନ୍ଧୁଙ୍କୁ ଫୋନ୍ କରିଥିଲେ। କଲର୍‌ଙ୍କ ମୋବାଇଲ୍ ଟାୱାର୍ ଲୋକେସନ୍ ଟ୍ରାକ୍ କରାଯାଇଥିଲା, ଯାହା ଫଳରେ ସେମାନେ ଗିରଫ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button