ଆଦିବାସୀ ନେତା ତଥା ୪ଥରର ବିଧାୟକ ଜର୍ଜ ତିର୍କୀଙ୍କର ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଆଦିବାସୀ ନେତା ତଥା ୪ଥରର ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି । ବୀରମିତ୍ରପୁର ନିର୍ବାଚନମଣ୍ଡଳୀରୁ ସେ ୪ଥରର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ଗତ କିଛିମାସ ଧରି ସେ ସେ ଗୁରୁତର ଅସୁସ୍ଥ ଥିଲେ। ତାଙ୍କୁ ରାଉରକେଲାରେ ଚିକିତ୍ସା କରାଯାଉଥିଲା। ଏହାପରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିଲା। ଛାତ୍ରଜୀବନରୁ ଜର୍ଜ ତୀର୍କି ଜଣେ ଲଢ଼ୁଆ ସଂଗଠକ ଓ ଜଣେ ଲଢୁଆ ଆଦିବାସୀ ନେତା ଭାବେ ପରିିଚିତ। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରୁ ୧୯୯୫ ଓ ୨୦୦୦ ମସିହାରେ ଲଗାତାର ୨ଥର ବୀରମିତ୍ରପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ସେ ସ୍ବାଧୀନ ଭାବେ ନିର୍ବାଚନରେ ଲଢି ଜିତିଥିଲେ। ଏହାପରେ ୨୦୧୪ ରେ ସମତା କ୍ରାନ୍ତି ଦଳ ତରଫରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ବର୍ତ୍ତମାନ ତାଙ୍କ ପୁତ୍ର ରୋହିତ ଯୋଶେଫ ତିର୍କୀ ବୀରମିତ୍ରପୁରରୁ ବିଜେଡି ଟିକେଟରେ ଜିତି ବିଧାୟକ ଅଛନ୍ତି।