ଆରମ୍ଭ ହେଲା ବିଧାନସଭା, ଶୋକପ୍ରସ୍ତାବ ଆଗତ ପରେ ଗୃହ ଗୋଟିଏ ଦିନ ପାଇଁ ମୁଲତବୀ

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେସନ। ଗୃହ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ମୋହନ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହିତ ପୂର୍ବତନ ଉପ ବାଚସ୍ପତି ଓ ରାଷ୍ଟ୍ରମନ୍ତ୍ରୀ ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ, ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ନିରଞ୍ଜନ ହେମ୍ବ୍ରମ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ଭଞ୍ଜ ଓ ପୂର୍ବତନ ବିଧାୟକ ମହମ୍ମଦ ରଫିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ଗୃହର ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିରୋଧୀ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହାପରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପାଇଁ ମୁଲତବୀ ଘୋଷଣା କରିଥିଲେ।