ଆଜିଠୁ ବିଧାନସଭା ଅଧିବେଶନ:ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ବିଜେଡ଼ି

ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଜିଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେସନରେ ଦଳର ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦ୍ବୋଧନ ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ବିଧାନସଭାର ମୌସୁମୀ ଅଧିବେସନ ସଂକ୍ଷିପ୍ତ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟିରୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ଗତ ସାଢେ ତିନି ମାସ ମଧ୍ୟରେ ମହିଳା ସୁରକ୍ଷା, ସାର ଯୋଗାଣ ଓ ଚାଷୀଙ୍କ ସ୍ୱାର୍ଥ ରକ୍ଷା, ରାଜ୍ୟ ସ୍ୱାର୍ଥର ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଦବଲ ଇଞ୍ଜିନ ସରକାରର ଅପାରଗତା ଓ ଉଦାସୀନତା ଜଳ ଜଳ ହୋଇ ଦିଶୁଛି। ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁସୁଡି ଯାଇଛି। ମହିଳା ମାନଙ୍କ ଉପରେ ଅତ୍ୟାଚାର ଜନିତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପ୍ରତିଦିନ ବଢି ଚାଲିଛି। ଏ ରାଜ୍ୟରେ ଏବେ କେହି ନିରାପଦ ନୁହନ୍ତି। ସେହିପରି ସାର ଯୋଗାଣ କ୍ଷେତ୍ରରେ ସୃଷ୍ଟି ହୋଇଥିବା ମାନବକୃତ ସଙ୍କଟ ଯୋଗୁଁ ଚାଷୀମାନେ ହଇରାଣ ହେଉଛନ୍ତି। ପଞ୍ଚାୟତି ରାଜ ବ୍ୟବସ୍ଥାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅପ୍ରାସଙ୍ଗୀକ କରିବା ପାଇଁ ରାଜ୍ୟ ସରକାର ଅଫିସରମାନଙ୍କ ଆର୍ଥୀକ କ୍ଷମତା ବୃଦ୍ଧି ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଦୃଢ ବିରୋଧ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏତଦ୍ ବ୍ୟତୀତ ଓଡିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଦଳାଚକଟା ଘଟଣାରେ ମଧ୍ୟ ସରକାରଙ୍କୁ ଜବାବ ଦାବୀ କରାଯିବ ବୋଲି ସେ କହିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, କେବଳ ମିଛ ପ୍ରଚାର ବ୍ୟତୀତ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ତେଣୁ ଚାଷୀ, ମହିଳା, ପଞ୍ଚାୟତି ରାଜ ବ୍ୟବସ୍ଥା ତଥା ଓଡିଆ ଅସ୍ମିତାର ସୁରକ୍ଷା ପାଇଁ ବିଜୁ ଜନତା ଦଳ ବିଧାନ ସଭାରେ କଠୋର ଆଭିମୁଖ୍ୟ ନେଇ କାମ କରିବ ବୋଲି ବିରୋଧୀ ଦଳ ନେତା କହିଥିଲେ।