ପ୍ରଧାନମନ୍ତ୍ରୀଙ୍କ ପାଇଁ ତାଳଚେର ମେଡିକାଲ କଲେଜର ସ୍ୱପ୍ନ ପୂରଣ ହୋଇଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଅନୁଗୋଳ ଜିଲ୍ଲା ତାଳଚେର ପବିତ୍ର ମୋହନ ସରକାରୀ ମେଡିକାଲ କଲେଜ ଚଳିତ ଶିକ୍ଷାବର୍ଷରୁ ୧୦୦ଟି ଏମବିବିଏସ ସିଟ୍ ନାମ ଲେଖାଇବା ପାଇଁ ‘ଜାତୀୟ ମେଡିକାଲ କମିଶନ’ ମଞ୍ଜୁରୀ ଦେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଜିଲ୍ଲାରେ ବହୁ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଜିଲ୍ଲାରେ ମେଡିକାଲର ସ୍ୱପ୍ନ ପୂରଣ ହୋଇପାରିଛି । ନିକଟରେ ରାଜ୍ୟ ସରକାରଙ୍କ ଆବେଦନ କ୍ରମେ ଏହି ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ଟି ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଜାତୀୟ ମେଡିକାଲ କମିଶନ ମଞ୍ଜୁରୀ ଦେଇଛନ୍ତି, ଯାହା ଖୁସିର ବିଷୟ । ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ପୁରୁଣା ତାଳଚେର ନେହେରୁ ଶତାବ୍ଦୀ ହସ୍ପିଟାଲକୁ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମକରଣ କରାଯାଇ ଏହି ମେଡିକାଲକୁ ବିକଶିତ କରାଯାଇଛି । ଏହା ଜିଲ୍ଲା ଓ ରାଜ୍ୟ ପାଇଁ ଡବଲ ଇଞ୍ଜିନ ସରକାର ବହୁତ ବଡ଼ ଉପଲବ୍ଧି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ତାଳଚେର ସମେତ ଅନୁଗୋଳ ଓ ଆଖପାଖ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ଏହି ନିର୍ଣ୍ଣୟ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନଙ୍କୁ ତାଳଚେର ମେଡିକାଲ କଲେଜର ସ୍ୱପ୍ନ ପୂରଣ କରିବା ପାଇଁ ପ୍ରଚେଷ୍ଟା କରିଥିବାରୁ ସ୍ଥାନୀୟ ଜନସାଧାରଣ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button