ନିଯୁକ୍ତି ମେଳାରେ ୧୬୮୬ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରିନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳା ଅବସରରେ ନବ ନିଯୁକ୍ତ ଅଧିକାରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡିଆ ଠାରେ ଏକାଦଶତମ ନିଯୁକ୍ତି ମେଳା ଆଜି ଅନୁଷ୍ଠିତ ହୋଇଛି। ଏଥିରେ ୭ଟି ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୯୮୨ ଜଣ, ଜଳ ସମ୍ପଦ ବିଭାଗରେ ୪୧୩ ଜଣ, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୩୪ ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୩୬ ଜଣ , ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରେ ୨୩ ଜଣ, ଅର୍ଥ ବିଭାଗରେ ୬୧ ଜଣ ଓ ଆଇନ୍ ବିଭାଗରେ ୩୭ ଜଣଙ୍କୁ ଏହିଭଳି ସମୁଦାୟ ୧୬୮୬ ଜଣଙ୍କୁ ବିଭିନ୍ନ ବର୍ଗରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ଦ୍ବିତୀୟ ବର୍ଷ ପ୍ରାରମ୍ଭର ଏହା ହେଉଛି ଦ୍ବିତୀୟ ନିଯୁକ୍ତି ମେଳା। ମୁଖ୍ୟମନ୍ତ୍ରୀ ଉପସ୍ଥିତ ନବ ନିଯୁକ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଆପଣ ମାନଙ୍କର କର୍ତ୍ତବ୍ୟ ହେଉଛି ସରକାରଙ୍କ ନୀତି ନିୟମର ମର୍ଯ୍ୟାଦାରେ ରହି ନିଜ କାର୍ଯ୍ୟ ସମ୍ପାଦନ କରିବା। ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସମସ୍ତେ ଭଲ କାମ କରନ୍ତୁ, ସୁନାମ ଅର୍ଜନ କରନ୍ତୁ, ସଚ୍ଚୋଟତାକୁ ୱାର୍କ କଲ୍‌ଚରର ଅବିଚ୍ଛେଦ୍ୟ ଅଙ୍ଗ ବନାନ୍ତୁ। ଅସୀମିତ ଆତ୍ମସନ୍ତୋଷ ପାଇବେ। ସାଧାରଣ ଗରିବ ଜନତାଙ୍କ ଆଶୀର୍ବାଦ ହେବ ଆପଣଙ୍କ ପାଇଁ ସବୁଠାରୁ ବଡ ପୁଞ୍ଜି। ସେ ପୁଣି କହିଥିଲେ, ସାଂପ୍ରତିକ ପରିସ୍ଥିତିରେ ଯୁବ ସମାଜ ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ରୋଜଗାର ବିଶେଷ ଭାବେ ନିଯୁକ୍ତି। ସେଥିପାଇଁ ମାତ୍ର ୧୫ ମାସ ମଧ୍ୟରେ ୧୧ଟି ନିଯୁକ୍ତି ମେଳା ଜରିଆରେ ସରକାରୀ କ୍ଷେତ୍ରରେ ଆମେ ଆଜିକୁ ମିଶାଇ ସମୁଦାୟ ୩୦,୦୩୨ ଟି ପଦବୀରେ ନିଯୁକ୍ତି ପ୍ରଦାନ କରିଛୁ। ସରକାର ଆସିବାର ପ୍ରଥମ ଦୁଇ ବର୍ଷରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବାର ଲକ୍ଷ୍ୟ ରହିଥିଲା। ଜୁନ୍ ୨୦୨୬ ଶେଷ ସୁଦ୍ଧା ଆହୁରି ୪୦ ହଜାର ସରକାରୀ ପଦବୀ ପୂରଣ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button