ଏସିଆ କପ୍-୨୦୨୫: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୫ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରମୁଖ ଟ୍ରଫି ଦାବିଦାର ଭାରତ ବୁଧବାର ୟୁଏଇକୁ ୯ ୱିକେଟ୍ରେ ପରାସ୍ତ କରିଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ୫୮ ରନ୍ ବିଜୟ ଲକ୍ଷ୍ୟକୁ ୪.୩ ଓଭରରେ ପୂରା କରିଛି। ଭାରତର ପାଳି ଆରମ୍ଭ କରିଥିଲେ ଅଭିଷେକ ଶର୍ମା ଓ ଶୁଭମନ ଗିଲ୍। ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୪୮ ରନ୍ର ଭାଗିଦାରୀ କରିଥିଲେ। ଅଭିଷେକ ୧୬ଟି ବଲ୍ ଖେଳି ୨ଟି ଚୌକା ଓ ୩ଟି ଛକା ବଳରେ ୩୦ ରନ୍ ସଂଗ୍ରହ କରିଥିଲେ। ଗିଲ୍ ୯ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ଅପରାଜିତ ୨୦ ରନ୍ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୭ ରନ୍ କରିଥିଲେ। ସେ ୨ଟି ବଲ୍ ଖେଳିଥିଲେ, ଯେଉଁଥିରୁ ଗୋଟିଏ ଛକା ଥିଲା। ଭାରତ ମୋଟ୍ ୬୦ ରନ୍ ସଂଗ୍ରହ କରିଥିଲା। ଭାରତୀୟ ବୋଲରମାନେ ୟୁଏଇ ବିପକ୍ଷରେ ଶକ୍ତିଶାଳୀ ବୋଲିଂ କରିଥିଲେ। ଫଳରେ ୟୁଏଇର ବ୍ୟାଟରମାନେ ଭଲ ରନ୍ ସ୍କୋର କରିପାରି ନଥିଲେ। ୟୁଏଇ ପାଇଁ ବ୍ୟକ୍ତିଗତ ଭାବେ ଉଭୟ ପ୍ରାରମ୍ଭିକ ବ୍ୟାଟର ୪୧ ରନ୍ ସଂଗ୍ରହ କରିପାରିଥିଲେ। ଆଲିଶାନ ଶରାଫୁ ୧୭ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୨୨ ରନ୍ କରିଥିଲେ। ସେହିପରି ଅଧିନାୟକ ମହମ୍ମଦ ୱାସିମ ୨୨ଟି ବଲ୍ ଖେଳି ୩ଟି ଚୌକା ବଳରେ ୧୯ ରନ୍ ସଂଗ୍ରହ କରିଥିଲେ। ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଭାରତ ପାଇଁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ସେ ୨.୧ ଓଭର ବୋଲିଂ କରିଥିଲେ। ୩.୨୦ ହାରରେ ମୋଟ୍ ୭ ରନ୍ ଖର୍ଚ୍ଚ କରିଥିଲେ। ଯୁବ ବୋଲର ଶିଭମ ଦୁବେ ୨ ଓଭର ବୋଲିଂ କରି ମାତ୍ର ୩ ରନ୍ ଖର୍ଚ୍ଚ କରିଥିଲେ। କିନ୍ତୁ ସେ ୟୁଏଇର ୩ ଜଣ ଖେଳାଳିଙ୍କୁ ଆଟଉ୍ କରିଥିଲେ। ଭାରତୀୟ ଦ୍ରୁତବୋଲର ଜସପ୍ରୀତ ବୁମରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।