ଦେଓମାଳୀ ଓ ପୁଙ୍ଗାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କ କୋରାପୁଟ ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ , ସୁନାବେଡ଼ା ହାଲ , ରାଜପୁଟ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ,ଦେଓମାଳୀ ଓ ପୁଙ୍ଗାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ବିଭାଗୀୟ ଅଧିକାରୀ / କର୍ମକର୍ତ୍ତା ଏବଂ ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି।ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଶିକ୍ଷା ଅନୁଷ୍ଠାନର ପ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।ରାଜ୍ୟପାଳଙ୍କୁ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା, ଭାରପ୍ରାପ୍ତ କୁଳସଚିବ ଡ଼. ରାକେଶ କୁମାର ଲେଙ୍କା, ବରିଷ୍ଠ ଅଧ୍ୟାପକ ଓ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅଧିକାରୀମାନେ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସମୀକ୍ଷା ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଣ୍ଡା ବିଶ୍ବବିଦ୍ୟାଳୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ । ମାନ୍ୟବର ରାଜ୍ୟପାଳ କହିଥିଲେ ଯେ ଗୁଣାତ୍ମକ ଶିକ୍ଷା ପାଇଁ ଉଚ୍ଚ ପ୍ରଶିକ୍ଷିତ ଶିକ୍ଷକ ଅତ୍ୟନ୍ତ ଆବଶ୍ୟକ। ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ଓ ଉଚ୍ଚ ପ୍ରଶିକ୍ଷିତ ଶିକ୍ଷକଙ୍କୁ ଦ୍ୱାରା ଅନୁପ୍ରାଣିତ ହେବେ ବୋଲି ରାଜ୍ୟପାଳ କହିଥିଲେ l